ହାଇଦ୍ରାବାଦ,ଏଜେନ୍ସି: ବଙ୍ଗୋପସାଗରରେ ସକ୍ରିୟ ରହିଥିବା ବାତ୍ୟା ପଶ୍ଚିମ-ଉତ୍ତର-ପଶ୍ଚିମ ଦିଗରେ ଗତି କରୁଛି । ଏହା ଆଜି ମଧ୍ୟରାତ୍ରରେ ଭୀଷଣ ବାତ୍ୟାର ରୂପ ନେଇ ପୁଡୁଚେରୀ ଓ ଶ୍ରୀହରିକୋଟା ମଧ୍ୟରେ ସ୍ଥଳଭାଗ ଛୁଇଁବା ନେଇ ଆଶଙ୍କା କରାଯାଉଛି। ଏନେଇ ଆଜି ଭାରତୀୟ ପାଣିପାଗ ତରଫରୁ ସୂଚନା ଦିଆଯାଇଛି।
ପାଣିପାଗ ବିଭାଗର ଆକଳନ ଅନୁସାରେ,”ବର୍ତ୍ତମାନ ବାତ୍ୟା ମାଣ୍ଡସ କରାଇକାଲର ୨୪୦ କିଲୋମିଟର ପୂର୍ବଦକ୍ଷିଣ ପୂର୍ବରେ ରହିଛି । ଏହା ତାମିଲନାଡୁ, ପୁଡୁଚେରୀ ଏବଂ ଦକ୍ଷିଣ ଆନ୍ଧ୍ରପ୍ରଦେଶକୁ ଲାଗି ଗତି କରିବ । ଏହି ସମୟରେ ଆଜି ରାତି ଏବଂ ଶନିବାର ସକାଳେ ଘଣ୍ଟାପ୍ରତି ପବନର ବେଗ ୬୫-୭୫ କିଲୋମିଟର ରହିବ । ଏହା ବେଳେବେଳେ ୮୫ କିଲୋମିଟର ମଧ୍ୟ ହେବ ।”
ବାତ୍ୟା ମାଣ୍ଡସ ଉପକୂଳ ମୁହାଁ ହେଉଥିବାରୁ ତାମିଲନାଡୁରେ ସତର୍କତା ଜାରି କରାଯାଇଛି । ଚେଙ୍ଗଲପାଟୁ, ଭିଲୁପୁରମ, କାଞ୍ଚିପୁରମ ଜିଲ୍ଲାକୁ ରେଡ୍ ଆଲର୍ଟ ଜାରି କରାଯାଇଛି । ଏହାସହ ପୁଡୁଚେରୀ ପାଇଁ ମଧ୍ୟ ପ୍ରବଳ ବର୍ଷା ସମ୍ଭାବନା ଦୃଷ୍ଟିରୁ ଆଲର୍ଟ ଜାରି ହୋଇଛି ।