ଦେଶର ସବୁ ସ୍କୁଲର କର୍ମୀଙ୍କ ଟିକାକରଣ ଲାଗି ରୋଡମ୍ୟାପ୍ ପ୍ରସ୍ତୁତ

ନୂଆଦିଲ୍ଲୀ: କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆଜି ନିଜ ବିଭାଗର ବରିଷ୍ଠ ଅଧିକାରୀଙ୍କ ସହ ସମଗ୍ର ଦେଶରେ ଖୋଲୁଥିବା ସ୍କୁଲର ସ୍ଥିତିକୁ ନେଇ ସମୀକ୍ଷା କରିଛନ୍ତି। ସେପ୍ଟେମ୍ବର ମାସ ଶେଷସୁଦ୍ଧା ସ୍କୁଲର ସମସ୍ତ ଶିକ୍ଷକ, ଶିକ୍ଷୟତ୍ରୀ ଓ କର୍ମଚାରୀଙ୍କୁ ଟିକାକରଣ କରିବା ଲାଗି ରୋଡମ୍ୟାପକୁ ମଧ୍ୟ ଧର୍ମେନ୍ଦ୍ର ପରଖିଥିବା ଜଣାପଡ଼ିଛି। ଭାରତ ସରକାର ସ୍କୁଲ ଖୋଲିବା ପାଇଁ ସୁରକ୍ଷିତ ବାତାବରଣ ସୁନିଶ୍ଚିତ କରିବା ଲାଗି କର୍ମଚାରୀଙ୍କ ଟିକାକରଣକୁ ପ୍ରାଥମିକତା ଦେଉଛନ୍ତି। ଏଥିଲାଗି ସ୍କୁଲ ଶିକ୍ଷା ଓ ସ୍ୱାକ୍ଷରତା ବିଭାଗର ଅଧିକାରୀ ସମସ୍ତ ରାଜ୍ୟ ସରକାର ସହ ସମ୍ପର୍କରେ ଅଛନ୍ତି।

ସୂଚନାଯୋଗ୍ୟ, କରୋନା ସଂକ୍ରମଣ କମୁଥିବାରୁ ଦିଲ୍ଲୀ, ଉତ୍ତରପ୍ରଦେଶ, ବିହାର, ମଧ୍ୟପ୍ରଦେଶ, ଗୁଜରାଟ, ପଞ୍ଜାବ, ଓଡ଼ିଶା, ରାଜସ୍ଥାନ, କର୍ଣ୍ଣାଟକ ଓ ତ୍ରିପୁରାରେ ସ୍କୁଲ ଖୋଲାଯାଇଛି। କିନ୍ତୁ ଏବେ ବି ଅନେକ ସ୍ଥାନରେ ଛାତ୍ରଛାତ୍ରୀଙ୍କ ସ୍କୁଲ ଆସିବାକୁ ବାଧ୍ୟତାମୂଳକ କରାଯାଇ ନାହିଁ।