ପରକୀୟା ପ୍ରୀତିରୁ ଯୁବକଙ୍କୁ ନିର୍ମମ ହତ୍ୟା

ରାୟଗଡ଼ା,ଏନ୍ଏନ୍ଏସ୍: ରାୟଗଡ଼ା ସହରର କପିଳାସ ରୋଡ଼ରେ ଜଣେ ଯୁବକଙ୍କୁ ନିର୍ମମ ଭାବେ ହତ୍ୟା କରାଯାଇଛି। ଯୁବକ ଜଣକ ହେଲେ ବି ରାଜୁ(୨୫)। ଏହି ଘଟଣାରେ ଜଡ଼ିତ ଥିବା ଅଭିଯୋଗରେ ଜଣେ ଯୁବକଙ୍କୁ ପୁଲିସ ଅଟକ ରଖିଛି । ଅନ୍ୟପଟେ ପରକିୟା ପ୍ରୀତିରୁ ଏହି ହତ୍ୟାକାଣ୍ଡ ହୋଇଥିବା ଅନୁମାନ କରାଯାଉଛି। ମିଳିଥିବା ରିପୋର୍ଟ ମୁତାବକ, ଗତକାଲି ରାତିରେ ରାଜୁଙ୍କର ତାଙ୍କ ସାଙ୍ଗମାନଙ୍କ ସହ ଝଗଡ଼ା ହୋଇଥିଲା । ଅଟକ ଥିବା ଯୁବକଙ୍କ ବୟାନ ଅନୁଯାୟୀ ରାଜୁର ଜଣେ ସାଙ୍ଗର ସ୍ତ୍ରୀ ସହିତ ପରକୀୟା ପ୍ରୀତି ରହିଥିଲା। ଗତ ରାତିରେ ଉଭୟଙ୍କୁ ଏକାଠି ଦେଖିବା ପରେ ଝଗଡ଼ା ହୋଇଥିଲା। ପରେ କିଛିଜଣ ମିଳିତ ଭାବେ ରାଜୁଙ୍କ ଉପରେ ଆକ୍ରମଣ କରିଥିଲେ। ଫଳରେ ତାଙ୍କର ମୃତ୍ୟୁ ହୋଇଥିଲା। ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ସନ୍ଧାନି କୁକୁର ଓ ସାଇଣ୍ଟିଫିକ ଟିମ ସହାୟତାରେ ତଦନ୍ତ ଜାରି ରଖିଛି। ଉକ୍ତ ଘଟଣାରେ ଆଉ କେଉଁମାନେ ଜଡ଼ିତ ଅଛନ୍ତି ତାହା ମଧ୍ୟ ପୁଲିସ ଅନୁସନ୍ଧାନ କରୁଛି।