ମୃତକଙ୍କ ଶବ ଦାହକୁ ନେଇ ରାସ୍ତାରୋକ

ବରଗଡ଼,ଏନ୍ଏନ୍ଏସ୍: କରୋନାରେ ମୃତ୍ୟୁବରଣ କରୁଥିବା ଜନସାଧାରଣଙ୍କ ଶବଦାହକୁ ନେଇ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ପରିବାର। ଡାକ୍ତରଖାନାରେ ଦିନେ ଦୁଇ ଦିନ ମୃତଦେହ ପଡି ରହୁଛି। ଶ୍ମଶାନରେ ଶବଦାହ ନେଇ ସ୍ଥାନୀୟଲୋକେ ବାରଣ କରୁଥିବା ଯୋଗୁଁ ଏପରି ସମସ୍ୟା ଦେଖାଦେଉଛି। ଯାହାକୁ ନେଇ ବୁଧବାର ବରଗଡ଼ରେ ସଚେତନ ନାଗରିକଙ୍କ ତରଫରୁ ରାସ୍ତାରୋକ କରାଯିବା ସହ କରୋନାରେ ଆକ୍ରାନ୍ତ ମୃତକଙ୍କ ଶବଦାହ ପାଇଁ ସ୍ଥାୟୀ ଶ୍ମଶାନ କରାଯିବାକୁ ଦାବି କରାଯାଇଥିଲା ।

ପ୍ରକାଶ ଯେ, ମଙ୍ଗଳବାର କରୋନାରେ ପ୍ରାଣହରାଇଥିବା ଜନୈକା ମହିଳାଙ୍କ ଶବଦାହକୁ ନେଇ ବିରୋଧ ହୋଇଥିଲା। ଯାହାକୁ ନେଇ ବିଭିନ୍ନ ମହଳରେ ଅସନ୍ତୋଷ ପ୍ରକାଶ ପାଇବା ସହ ସ୍ଥାନୀୟ ଗାନ୍ଧୀ ଛକରେ ରାସ୍ତାରୋକ କରାଯାଇଥିଲା । ବରଗଡ଼ରେ କରୋନାରେ ଆକ୍ରାନ୍ତ ହୋଇ ମୃତ୍ୟୁବରଣ କରୁଥିବା ବ୍ୟକ୍ତିଙ୍କ ପାଇଁ ଏକ ସ୍ଥାୟୀ ଶ୍ମଶାନ କରାଯିବାକୁ ଦାବି କରାଯାଇଥିଲା। ବରଗଡ଼ ବିଧାୟକ ଦେବେଶ ଆଚାର୍ଯ୍ୟ, ଉପଜିଲ୍ଲାପାଳ ପ୍ରଭାସ ଚନ୍ଦ୍ର ଡନସେନା ପହଞ୍ଚି ଆନ୍ଦୋଳନକାରୀଙ୍କ ସହ ଆଲୋଚନା କରିଥିଲେ। ଟୁକୁର୍ଲାସ୍ଥିତ ଜିଲ୍ଲା ମୁଖ୍ୟ ଡାକ୍ତରଖାନା ନିକଟରେ ଏକ ସ୍ଥାୟୀ ଶ୍ମଶାନ କରାଯାଉଥିବା ନେଇ ଉପ ଜିଲ୍ଲାପାଳ ଶ୍ରୀ ଡନସେନା ସୂଚନା ଦେଇଥିଲେ । ରାସ୍ତାରୋକରେ ନିପନ ଦାଶ, ପୂର୍ବତନ ବିଧାୟକ ନିହାର ରଞ୍ଜନ ମହାନନ୍ଦ, ପରେଶ ବିଶି, ଲଲାଟେନ୍ଦୁ ବେହେରା,ହରିହର ପ୍ରଧାନଙ୍କ ସହ ବହୁ ଜନସାଧାରଣ ସାମିଲ ହୋଇଥିଲେ।