ମୁକ୍ତାକାଶ ତଳେ ପଥପ୍ରାନ୍ତ ପାଠାଗାର

ମାଲକାନଗିରି, ଏନ୍ଏନ୍ଏସ୍: ପାଠକଙ୍କ ମନ କିଣୁଛି ପଥପ୍ରାନ୍ତ ପାଠାଗାର। ମୁକ୍ତାକାଶ ତଳେ ପୁସ୍ତକ ପ୍ରେମୀଙ୍କୁ ଏହା ଆକୃଷ୍ଟ କରୁଥିବା ବେଳେ ସମୟ କ୍ରମେ ଏଠାରେ ପାଠକଙ୍କ ଭିଡ ବଢିବାରେ ଲାଗିଛି। କେବଳ ସେତିକି ନୁହେଁ ପାଠକଙ୍କ ସହ ଏଠାରେ ପୁସ୍ତକ ଦାତାଙ୍କ ମଧ୍ୟ ସଂଖ୍ୟା ବଢୁଛି। ଫଳରେ ଏହି ପାଠାଗାରରେ ଅନେକ ପ୍ରକାରର ପୁସ୍ତକ ମଧ୍ୟ ଉପଲବ୍ଧ ରହିଛି। ମାଲକାନଗିରି ଜିଲ୍ଲା ସଦର ମହକୁମାରେ ବଡ ଦିଦି ସଂସ୍ଥାର କିଛି ମହିଳା ସ୍ୱେଚ୍ଛାସେବୀ ମାଲକାନଗିରି ମହାବିଦ୍ୟାଳୟ ନିକଟ ମୁଖ୍ୟ ରାସ୍ତା କଡରେ ଏକ ମୁକ୍ତାକାଶ ପଥପ୍ରାନ୍ତ ପାଠାଗାର ଚଳିତ ବର୍ଷ ଦୀପାବଳୀ ଠାରୁ ଆରମ୍ଭ କରିଛନ୍ତି।

ମାଲକାନଗିରି ଜିଲ୍ଲାର ୨୦ ଜଣ ମହିଳା ସ୍ୱେଚ୍ଛାସେବୀ ମିଶି ଏହି ପାଠାଗାର ଆରମ୍ଭ ହୋଇଥିବା ବେଳେ ଅନ୍ୟମାନଙ୍କୁ ପୂରୁଣ ବ୍ୟବହୃତ ବହି ପ୍ରଦାନ ନିମନ୍ତେ ଅନୁରୋଧ କରିଛନ୍ତି। ଏହି ପଥପ୍ରାନ୍ତ ପାଠାଗାରରେ ଇଂରାଜୀ , ଓଡିଆ, ବଙ୍ଗାଳା, ଆସାମୀ ଭାଷାର ପ୍ରାୟ ୧୭୦ରୁ ଅଧିକ ବହି ରଖାଯାଇଛି। ଅନେକ ଲୋକଙ୍କ ପାଖରେ ପୁସ୍ତକ ବ୍ୟବହାର ନ ହୋଇ ପଡିରହିଥିବା ବେଳେ ସେଗୁଡିକୁ ସଂଗ୍ରହ କରିବା ନିମନ୍ତେ ବଡ ସଂସ୍ଥାର ସ୍ୱେଚ୍ଛାସେବୀ ଜୟନ୍ତୀ ବୁରୁଦା, ଦୀପାରାଣି ନାଏକ, ରାଧିକା ମାଝୀ, ଲକ୍ଷ୍ମୀ ମାଡକାମି, ସଙ୍ଗୀତା ଦାସ ପ୍ରମୁଖ ପ୍ରୟାସ ଜାରି ରଖିଛନ୍ତି। ଏହି ସ୍ୱେଚ୍ଛାସେବୀଙ୍କ ଏଭଳି ଉଦ୍ୟମକୁ ସାଧାରଣରେ ପ୍ରଶଂସା କରାଯାଇଛି।