ମାଲକାନଗିରି,ଏନ୍ଏନ୍ଏସ୍: ମାଲକାନଗିରି ଜିଲ୍ଲାର ଗଣପର୍ବ ବଡ଼ଯାତ୍ରା ଆରମ୍ଭ ହୋଇଥିବା ବେଳେ ଭକ୍ତଙ୍କ ଭିଡ଼କୁ ଦୃଷ୍ଟିରେ ରଖି କରୋନା ସଚେତନତା ପଥପ୍ରାନ୍ତ ନାଟକ ରଥର ଶୁଭାରମ୍ଭ ହୋଇଛି। ମାଲକାନଗିରି ଜିଲ୍ଲା ପ୍ରଶାସନ, ୟୁନିସେଫ ଓ ଚାଇଲ୍ଡ ଫଣ୍ଡର ମିଳିତ ଉଦ୍ୟମରେ ଏହି ରଥ ପ୍ରତ୍ୟେକ ଗ୍ରାମ ବୁଲି ଲୋକଙ୍କୁ କରୋନା ସମ୍ବନ୍ଧରେ ସଚେତନ କରିବ।
ଏହି ସଚେତନ ଗାଡ଼ିକୁ ଅତିରିକ୍ତ ଜିଲ୍ଲାପାଳ ବୀରସେନ ପ୍ରଧାନ ଓ ଡିଆରଡିଏର ପ୍ରକଳ୍ପ ନିର୍ଦ୍ଦେଶକ ବାଳ ମୁକୁନ୍ଦ ଭୂୟାଁ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ। ଏହାପରେ ଜିଲ୍ଲା ସଦର ମହକୁମାର ବିଭିନ୍ନ ସ୍ଥାନରେ ମାସ୍କ ବ୍ୟବହାର, ସାମାଜିକ ଦୂରତା ପାଳନ, ବାରମ୍ବାର ହାତ ଧୋଇବା ପାଇଁ ପଥପ୍ରାନ୍ତ ନାଟକ ମାଧ୍ୟମରେ କଳାକାରମାନେ ଲୋକଙ୍କୁ ସଚେତନ କରାଉଛନ୍ତି।
ଏହି ଅବସରରେ ଅନ୍ୟମାନଙ୍କ ମଧ୍ୟରେ ମାଲକାନଗିରି ତହସିଲଦାର ଡ. ଗୁଣନିଧି ନାୟକ, ଚାଇଲ୍ଡ ଫଣ୍ଡ ଇଣ୍ଡିଆର ପ୍ରକଳ୍ପ ଅଧିକାରୀ ରାଜେଶ ପଟ୍ଟନାୟକ, ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ସ୍ନିଗ୍ଧା ଚୌଧୁରୀ, ଜିଲ୍ଲା ରେଡକ୍ରସ ସଂଯୋଜକ ଡ. ରଞ୍ଜନ କୁମାର ସ୍ୱାଇଁ ଉପସ୍ଥିତ ଥିଲେ। ଜିଲ୍ଲାରେ ବଡ଼ଯାତ୍ରା ଚାଲିଥିବା ବେଳେ ଜନସାଧାରଣଙ୍କ ଗହଳି ରୋକିବା ସହ କରୋନା ନିୟମ ପାଳନ କରିବା ନେଇ ଏହି ପଥପ୍ରାନ୍ତ ନାଟକ ମାଧ୍ୟମରେ ବାର୍ତ୍ତା ଦିଆଯାଉଛି।