ରାସ୍ତା କଡରେ ପ୍ରବାସୀ ଶ୍ରମିକ

ଫୁଲବାଣୀ/ଜି.ଉଦୟଗିରି,ଏନ୍ଏନ୍ଏସ୍ : କନ୍ଧମାଳ ଜିଲ୍ଲା ଜି.ଉଦୟଗିରି ବ୍ଳକ ଅନ୍ତର୍ଗତ ରାଇପଦା ନିକଟରେ ପ୍ରାୟ ୨୦ ଜଣ ପ୍ରବାସୀ ଶ୍ରମିକ ରାସ୍ତା କଡରେ ଛିଡା ହୋଇଥିବା ଦେଖିବାକୁ ମିଳିଥିଲା। ମିଳିଥିବା ସୂଚନା ଅନୁସାରେ, ରାୟଗଡା ଜିଲ୍ଲା କାଶିପୁର ବ୍ଳକ ଗରଖପୁର ଗ୍ରାମପଞ୍ଚାୟତର ପ୍ରାୟ ୨୦ ଜଣ ଶ୍ରମିକ ପଞ୍ଜାବ ଲୁଧିଆନାର ଏକ କନଷ୍ଟ୍ରକସନ କମ୍ପାନୀରେ କାମ କରୁଥିଲେ। କରୋନା ଯୋଗୁଁ ହୋଇଥିବା ଲକଡାଉନରେ ଦୁଇ ମାସ ଧରି କମ୍ପାନୀ କାମ ବନ୍ଦ ହୋଇଥିବାରୁ ଶ୍ରମିକମାନେ ସେଠି ଚଳିବା କଷ୍ଟକର ହୋଇପଡିଥିଲା।

ଏଣୁ ବାଧ୍ୟ ହୋଇ ଶ୍ରମିକମାନେ ଏକ ବସ ଯୋଗେ ତିନି ଦିନ ପୂର୍ବେ ନିଜ ଗ୍ରାମ ଅଭିମୂଖେ ବାହାରିଥିଲେ। ଗାଡିର ଡ୍ରାଇଭର ଜଣକ ପ୍ରବାସୀମାନଙ୍କୁ ଗାଡି ଖରାପ ଆଳ ଦେଖାଇ ସେମାନଙ୍କୁ ଜି.ଉଦୟଗିରି ନିକଟ କଳିଙ୍ଗା ରାସ୍ତାରେ ଓହ୍ଲାଇ ଗାଡି ଧରି ଚାଲିଯାଇଥିଲା। କୌଣସି ପ୍ରବାସୀମାନେ କୌଣସି ପ୍ରକାରେ ମଧ୍ୟ ଚାଲିବେ ନାହିଁ ବୋଲି ପୋଲିସ ମହାନିର୍ଦ୍ଦେଶକ କହିଥିଲେ। ସେହି ନିର୍ଦେଶ ପ୍ରକାରେ ଏହି ଖବର ପାଇ ଜି.ଉଦୟଗିରି ଥାନା ଅଧିକାରୀ ନରେଶ କୁମାର ସାହୁଙ୍କ ତତ୍ତ୍ୱାବଧାନରେ ପ୍ରବାସୀଙ୍କ ନିକଟରେ ପୋଲିସ ପହଞ୍ଚି ପ୍ରଥମେ ସେମାନଙ୍କୁ ଜଳଖିଆ ଓ ମଧ୍ୟାହ୍ନ ଭୋଜନ ଖାଇବାକୁ ଦେଇଥିଲେ । ଏହାପରେ ଥାନା ଅଧିକାରୀ ଏମଭି ଆଇଙ୍କ ସହ ଯୋଗାଯୋଗ କରି ଗାଡି ବନ୍ଦୋବସ୍ତ କରି ଶେଷରେ ସମସ୍ତ ପ୍ରବାସୀମାନଙ୍କୁ ସମ୍ମାନର ସହିତ ନିଜ ଗ୍ରାମକୁ ପଠାଇଥିଲେ।