ନୂଆପଡ଼ା,ଏନ୍ଏନ୍ଏସ୍: ନୂଆପଡ଼ା ଜିଲ୍ଲା ବୋଡେନ ଥାନା ବିନୋପୁର ଗାଁ ନିକଟସ୍ଥ ନିର୍ମାଣାଧୀନ ବିଜୁ ଏକ୍ସପ୍ରେସ ୱେରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଡମ୍ଫର ଧକ୍କାରେ ବାଇକରେ ଯାଉଥିବା ଗର୍ଭବତୀ ମହିଳାଙ୍କ ମୃତ୍ୟୁ ହୋଇଥିବାବେଳେ ଅନ୍ୟଜଣେ ଗୁରୁତର ଆହତ ହୋଇଛନ୍ତି। ଆହତଙ୍କୁ ଚିକିତ୍ସା ପାଇଁ ଖଡ଼ିଆଳ ହସ୍ପିଟାଲକୁ ପଠାଇ ଦିଆଯାଇଛି।
ମିଳିଥିବା ରିପୋର୍ଟ ମୁତାବିକ, ବୋଡେନ ଥାନା ବିନୋପୁର ଗାଁର ଲକ୍ଷ୍ମୀ ସଲମା ଏବଂ ତାଙ୍କ ସମ୍ପର୍କୀୟ ସବିତା ନାଗ ଏକ ବାଇକରେ ଯାଉଥିଲେ। ବିନପୁର ନିକଟସ୍ଥ ବିଜୁ ଏକ୍ସପ୍ରେସ ୱେରେ ଏକ ଡମ୍ଫର ସହିତ ଏହି ବାଇକର ମୁହାଁମୁହିଁ ଧକ୍କା ହୋଇଥିଲା। ଫଳରେ ୨ଜଣ ଡମ୍ଫର ତଳେ ଚାପି ହୋଇ ଯାଇଥିଲେ। ପରେ ଜେସିବି ମେସିନ ଆସି ୨ଜଣଙ୍କୁ ଉଦ୍ଧାର କରି ଖଡ଼ିଆଳ ମେଡିକାଲକୁ ପଠା ଯାଇଥିଲା। ମେଡିକାଲ ନେବା ବାଟରେ ଗର୍ଭବତୀ ମହିଳା ସବିତାଙ୍କ ମୃତ୍ୟୁ ହୋଇଥିଲା। ଅନ୍ୟଜଣଙ୍କ ଅବସ୍ଥା ଗୁରୁତର ଥିବା ଜଣାପଡ଼ିଛି। ମୃତ ମହିଳା ଜଣକ ୮ମାସ ଗର୍ଭବତୀ ଥିବା ପରିବାର ଲୋକେ ପ୍ରକାଶ କରିଛନ୍ତି। ସରକାରୀ ସହାୟତା ପାଇଁ ଗ୍ରାମବାସୀ ବିନୋପୁର ଗାଁରେ ଖଡ଼ିଆଳ-ବୋଡେନ ରାସ୍ତା ଅବରୋଧ କରିଛନ୍ତି। ଘଟଣାସ୍ଥଳରେ ପୁଲିସ ପହଞ୍ଚି ତଦନ୍ତ ଚଲାଇଛି।