ପଚରାଉଚୁରା ପାଇଁ ଏନସିବିରେ ପହଞ୍ଚିଲେ ରିୟା

ନୂଆଦିଲ୍ଲୀ,ଏଜେନ୍ସି: ବଲିଉଡ ଅଭିନେତା ସୁଶାନ୍ତ ସିଂ ରାଜପୁତ ମୃତ୍ୟୁ ମାମଲାରେ ଡ୍ରଗ୍ସ କାରବାର ନେଇ ସିବିଆଇ ଖୋଳତାଡ ଆରମ୍ଭ କରିଛି। ଏନେଇ ଆଜି ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ(ଏନସିବି) ଅଫିସରେ ଅଭିନେତ୍ରୀ ତଥା ସୁଶାନ୍ତଙ୍କ ଗାର୍ଲ ଫ୍ରେଣ୍ଡ ରିୟା ପହଞ୍ଚିଛନ୍ତି। ଆଜି ସକାଳେ ଏନସିବି ଟିମ ରିୟାଙ୍କୁ ପଚରାଉଚୁରା ପାଇଁ ସମନ ପଠାଇଥିଲା। ଶୁକ୍ରବାର ସୁଶାନ୍ତଙ୍କ ମୃତ୍ୟୁ ମାମଲାରେ ଏନସିବି ରିୟାଙ୍କ ଭାଇ ସୌଭିକ ଚକ୍ରବର୍ତ୍ତୀ ଓ ସୁଶାନ୍ତଙ୍କ ପୂର୍ବତନ ମ୍ୟାନେଜର ସାମୁଏଲ ମିରାଣ୍ଡାଙ୍କୁ ଗିରଫ କରିଥିଲା। ଆଜି ପଚରାଉଚୁରା ପରେ ରିୟାଙ୍କୁ ମଧ୍ୟ ଗିରଫ କରାଯାଇପାରେ ବୋଲି ସୂଚନା ମିଳିଛି।

ଏ ସମ୍ପର୍କରେ ରିୟାଙ୍କ ଓକିଲ ସତୀଶ ମାନସିନ୍ଦେଙ୍କୁ ପଚାରିବାରେ, ରିୟା ଅଗ୍ରୀମ ଜାମିନ ପାଇଁ ଆବେଦନ କରିନାହାନ୍ତି ଏବଂ ଗିରଫ ପାଇଁ ପ୍ରସ୍ତୁତ ଅଛନ୍ତି ବୋଲି କହିଛନ୍ତି। ତେବେ ଗତକାଲି ରିୟାଙ୍କ ହ୍ୱାଟ୍ସଆପ୍ ଚାଟରୁ ସେ ଡ୍ରଗ୍ସ ବ୍ୟବହାର କରିବା ସହ ବ୍ୟବସାୟ କରୁଥିବା ଜଣାପଡ଼ିଥିଲା। ଏନେଇ ଆଜି ସକାଳେ ଏନସିବି ପକ୍ଷରୁ ରିୟାଙ୍କୁ ସମନ ଜରି କରାଯାଇଥିଲା।