ବୋମା ଭିଡୁଥିବା ବେଳେ ବିସ୍ଫୋରଣ, ୨ ମୃତ

ଦେବଗଡ଼,ଏନ୍ଏନ୍ଏସ୍: ଦେବଗଡ଼ ଥାନା ଲଇମୁରା ଫାଣ୍ଡି ଅନ୍ତର୍ଗତ ଚିଲାଣ୍ଟିଖୋଲ ଗ୍ରାମରେ ବେଆଇନ ବୋମା ତିଆରି ବେଳେ ବିସ୍ଫୋରଣ ଘଟି ୨ ଜଣ ବ୍ୟକ୍ତିଙ୍କ ଶୋଚନୀୟ ମୃତ୍ୟୁ ଘଟିଛି। ପୁଲିସ ସୂଚନା ଅନୁସାରେ ରିଆମାଳ ଥାନା ଅନ୍ତର୍ଗତ କଂସର ଗ୍ରାମର ସନ୍ତୋଷ ପଟ୍ଟା(୫୦) ଓ ରଞ୍ଜିତ ଭୋଇ(୪୨) ଚିଲାଣ୍ଟିଖୋଲ ସ୍ଥିତ ସମ୍ପର୍କୀୟ ମଉସା ପବିତ୍ର ପଟ୍ଟାଙ୍କ ଘରକୁ ବୁଲିବାକୁ ଆସିଥିଲେ। ତେବେ ଗତକାଲି ମଧ୍ୟାହ୍ନରେ ପବିତ୍ରଙ୍କ ଘରେ ଉଭୟ ସନ୍ତୋଷ ଓ ରଞ୍ଜିତ ବେଆଇନ ବୋମା ଭିଡୁଥିବାବେଳେ ବିସ୍ଫୋରଣ ଘଟିଥିଲା। ଫଳରେ ଘଟଣାସ୍ଥଳରେ ଉଭୟଙ୍କ ମୃତ୍ୟୁ ଘଟିଥିବାବେଳେ ଗୋଡ, ହାତ ସବୁ ଭାଙ୍ଗି ପଡିଥିବା ଦେଖିବାକୁ ମିଳିଥିଲା।

ତେବେ ଉକ୍ତ ଗ୍ରାମରେ ମୋବାଇଲ ନେଟୱାର୍କ ସୁବିଧା ନଥିବାରୁ ଘଟଣା ସମ୍ପର୍କରେ ତୁରନ୍ତ ସୂଚନା ମିଳିପାରି ନଥିଲା। ସନ୍ଧ୍ୟାରେ ପବିତ୍ର ଏ ସମ୍ପର୍କରେ ଲଇମୁରା ଫାଣ୍ଡିରେ ସୂଚନା ଦେବାପରେ ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତ ଦେହକୁ ରାତି ସାରା ଜଗି ରହିଥିଲା। ଦେବଗଡ଼ ଥାନା ଅଧିକାରୀ ପ୍ରଶାନ୍ତ କୁମାର ପାତ୍ର, ଏସଆଇ ପ୍ରଦୀପ ରଞ୍ଜନ ପାତ୍ର, ବୁଦ୍ଧରାଏ ମାଝୀ, ପିଏସଆଇ ତର୍ସିଲା ବାର୍ଲା ଓ ମିନତି ନାଏକ ପ୍ରମୁଖ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରିବା ସହ ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି। ଅନ୍ୟପଟେ ସମ୍ପୃକ୍ତ ଅଞ୍ଚଳ ପୂର୍ବରୁ ମାଓପ୍ରବଣ ଥିବାବେଳେ ବିସ୍ଫୋରଣ ସାମଗ୍ରୀ କେଉଁ ଅଞ୍ଚଳରୁ ଅଣାଯାଇଥିଲା ସେନେଇ ପୁଲିସ ଅଧିକାରୀମାନେ ତଦନ୍ତ କରୁଥିବା ଜଣାପଡ଼ିଛି। ସେହିପରି ତଦନ୍ତ ଅଧିକାରୀଙ୍କ ସହାୟତା ପାଇଁ ସମ୍ବଲପୁରରୁ ଏକ ସାଇଣ୍ଟିଫିକ୍ ଦଳ ଆସୁଥିବା ଥାନା ଅଧିକାରୀ ଶ୍ରୀ ପାତ୍ର ସୂଚନା ଦେଇଛନ୍ତି।