ବର୍ମିଂହାମ,ଏଜେନ୍ସି: ଇଂଲଣ୍ଡର ବିପକ୍ଷ ଏଜବେଷ୍ଟନ ଟେଷ୍ଟରେ ଭାରତ ଦ୍ୱିତୀୟ ଦିନରେ ମଧ୍ୟ ଦମଦାର ପ୍ରଦର୍ଶନ କରିଛି। ପ୍ରଥମ ପାଳିରେ ୪୧୬ ରନ୍ ସଂଗ୍ରହ କରି ଭାରତୀୟ ଟିମ୍ ଆଉଟ୍ ହୋଇଥିଲା। ଦ୍ୱିତୀୟ ଦିନରେ ଇଂଲଣ୍ଡ ୮୪ ରନ୍ରେ ୫ଟି ୱିକେଟ ହରାଇଛି। ଜୋଏ ରୁଟ୍ (୩୧ ରନ୍)ଙ୍କ ବ୍ୟତୀତ ଅନ୍ୟ ଖେଳାଳିମାନଙ୍କ ପ୍ରଦର୍ଶନ ନୈରାଶ୍ୟଜନକ ଥିଲା। ପ୍ରାରମ୍ଭିକ ବ୍ୟାଟର ଆଲେକ୍ସ ହେଲ୍ସ ୬ ରନ୍ ଓ ଜାକ୍ କ୍ରାଏ ୯ ରନ୍ କରିଥିଲେ। ଓଲି ପୋପ ୧୦ ରନ୍ ଓ ଜାକ୍ ଲେଞ୍ଜ ଶୂନ୍ୟ ରନ୍ରେ ଆଉଟ୍ ହୋଇଥିଲେ।
ତେବେ ଦ୍ୱିତୀୟ ଦିନ ଖେଳ ଶେଷ ବେଳକୁ ଜନି ବେୟରଷ୍ଟୋ ୧୨ ରନ୍ ଓ ବେନ୍ ଷ୍ଟୋକ୍ସ ଅପରାଜିତ ରହି ବ୍ୟାଟିଂ ଜାରି ରଖିଛନ୍ତି। ଭାରତ ପକ୍ଷରୁ ଜସପ୍ରୀତ ବୁମରା ସର୍ବାଧିକ ୩ଟି ୱିକେଟ୍ ନେଇଥିଲା ବେଳେ ମହମ୍ମଦ ଶାମୀ ଓ ମହମ୍ମଦ ସିରାଜ ଗୋଟିଏ ଲେଖାଏଁ ୱିକେଟ ନେଇଛନ୍ତି।
ଏହା ପୂର୍ବରୁ ରବୀନ୍ଦ୍ର ଜାଦେଜା ଭାରତ ପାଇଁ ଶତକ (୧୦୪ରନ୍) ହାସଲ କରିଥିଲେ। ପ୍ରଥମ ପାଳିରେ ଜାଦେଜା ଓ ଋଷଭ ପନ୍ତଙ୍କ ବିସ୍ଫୋରକ ବ୍ୟାଟିଂ ବଳରେ ଭାରତ ୪୧୬ ରନ୍ କରିଥିଲା। ପନ୍ତ ଇଂଲଣ୍ଡ ବୋଲରଙ୍କୁ ଛାଡ଼ି ନାହାନ୍ତି। ସେ ପ୍ରଶଂସନୀୟ ଶତକ ହାସଲ କରିଛନ୍ତି। ଏଥିପାଇଁ ସେ ୮୯ ବଲ୍ ଦରକାର କରିଥିଲେ। ୧୫ଟି ଚୌକା ଓ ଗୋଟିଏ ଛକା ବଳରେ ପନ୍ତ ନିଜ ଟେଷ୍ଟ କ୍ୟାରିୟରର ୫ମ ଶତକ ହାସଲ କରିଥିଲେ। ଶେଷରେ ପନ୍ତ ୧୧୧ଟି ବଲ୍ ସାମ୍ନା କରି ୧୪୬ ରନ୍ କରିଥିଲେ। ପନ୍ତଙ୍କୁ ଜୋ ରୁଟ୍, ଜ୍ୟାକ କ୍ରାଉଲୀଙ୍କ ହାତରେ କ୍ୟାଚ କରାଇଥିଲେ।
ଟସ୍ ଜିଣି ଇଂଲଣ୍ଡ ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଥିଲା। ଏଥିରେ ଋଷଭ ପନ୍ତଙ୍କ ପାଳି ବହୁତ ଗୁରୁତ୍ୱପୂର୍ଣ୍ଣ ଥିଲା। କାରଣ ଭାରତ ୯୮ ରନ୍ ବେଳକୁ ୫ଟି ୱିକେଟ୍ ହରାଇ ସାରିଥିଲା। ଭାରତ ୧୫୦ ରନ୍ କରିବ କି ନାହିଁ, ଏହା ମଧ୍ୟ ସଂଦେହ ଲାଗୁଥିଲା। ଏଭଳି ସ୍ଥିତିରେ ପନ୍ତ ଓ ଜାଦେଜା ୬ଷ୍ଠ ୱିକେଟ ପାଇଁ ୨୨୦ ରନ୍ର ଭାଗିଦାରୀ ହୋଇପାରିଥିଲେ।