ଆସାମ ବନ୍ୟା: ମୃତ୍ୟୁ ସଂଖ୍ୟା ୧୭୪କୁ ବୃଦ୍ଧି, ୨୨ ଲକ୍ଷ ଲୋକ ପ୍ରଭାବିତ

ଗୁଆହାଟୀ,ଏଜେନ୍ସି: ଆସାମରେ ବନ୍ୟା ପରିସ୍ଥିତିରେ ସାମାନ୍ୟ ସୁଧୁରିଛି। ଶନିବାର ପୁଣି ଜଣେ ଲୋକଙ୍କର ମୃତ୍ୟୁ ହୋଇଛି। ଏଥି ସହିତ ରାଜ୍ୟରେ ବନ୍ୟା ଓ ଭୂସ୍ଖଳନଜନିତ ମୃତ୍ୟୁ ସଂଖ୍ୟା ୧୭୪କୁ ବୃଦ୍ଧି ପାଇଛି। ବନ୍ୟା ଯୋଗୁଁ ୨୨ ଲକ୍ଷ ୧୭ ହଜାର ଲୋକ ପ୍ରଭାବିତ ହୋଇଛନ୍ତି। ପୂର୍ବରୁ ୨୯ ଲକ୍ଷ ୭୦ ହଜାର ଲୋକ ବନ୍ୟା ଦ୍ୱାରା ପ୍ରଭାବିତ ହୋଇଥିଲେ। ଚଚର ଜିଲ୍ଲା ସିଲଚେର ସହରରେ ମଧ୍ୟ ବନ୍ୟା ପରିସ୍ଥିତିରେ ଉନ୍ନତି ଆସିଛି।

ବନ୍ୟା ପ୍ରଭାବିତ ଅଞ୍ଚଳକୁ ମନ୍ତ୍ରୀମାନେ ଗସ୍ତ କରିଛନ୍ତି। ମୁଖ୍ୟ ସଚିବ ଜିସନୁ ବରୁଆ ଓ ଅନ୍ୟ ଷ୍ଟେକ୍ ହୋଲ୍ଡରମାନେ ଏକ ଉଚ୍ଚସ୍ତରୀୟ ବୈଠକ କରିଛନ୍ତି। ମୁଖ୍ୟ ସଚିବ ଶ୍ରୀ ବରୁଆ ବନ୍ୟାଜନିତ ଷ୍ଟାଟସ୍ ରିପୋର୍ଟ ଦାଖଲ କରିବାକୁ କହିଛନ୍ତି। ରିପୋର୍ଟ ଦାଖଲ କଲେ କେନ୍ଦ୍ର ସରକାରଙ୍କୁ ସହାୟତା ପାଇଁ ଆବେଦନ କରାଯିବ।

ବ୍ରହ୍ମପୁତ୍ର, କୋପିଲି, ଦିସାଙ୍ଗ, ବୁରୁଡିହିଙ୍ଗ ଓ ବାରାକ ନଦୀ କିଛି ସ୍ଥାନରେ ବିପଦ ସଂକେତ ଟପିଛି। ରିପୋର୍ଟ ଅନୁସାରେ ୭୭ଟି ରାଜସ୍ୱ ସାର୍କିଲର ୧୯୩୪ ଗାଁ ବନ୍ୟା ଜଳରେ ପ୍ରଭାବିତ ହୋଇଛନ୍ତି। ୨ ଲକ୍ଷ ୭୭ ହଜାର ୩୫୫ ଜଣଙ୍କୁ ୪୦୪ଟି ଆଶ୍ରୟସ୍ଥଳୀକୁ ନିଆଯାଇଛି। ସେହିପରି ରିଲିଫ ସାମଗ୍ରୀ ୧୩୮ଟି ସ୍ଥାନରେ ବିତରଣ କରାଯାଇଛି।