ନବରଙ୍ଗପୁର,ଏନ୍ଏନ୍ଏସ୍: ଜିଲ୍ଲାରେ ଖାଦ୍ୟ ସୁରକ୍ଷା ଯୋଜନାରେ ମିଳୁଥିବା ଗହମ ଓ କିରୋସିନ ଗାୟବ ହୋଇଥିବାବେଳେ ଯୋଗ୍ୟ ହିତାଧିକାରୀଙ୍କୁ ଆଉ ଚାଉଳ ବି ମିଳୁନି । ଏଭଳି ଘଟଣା ନବରଙ୍ଗପୁର ସଦର ବ୍ଲକ ଅନ୍ତର୍ଗତ ବଡ଼କୁମୁଲି ପଞ୍ଚାୟତର ଧାରଣାବେଡ଼ା ଗ୍ରାମର ୧ ଓ ୨ ନମ୍ବର ୱାର୍ଡର ହରିଜନ ସାହି ଭତରା ସାହିରେ ଦେଖିବାକୁ ମିଳିଛି । ଗହମ ଓ କିରୋସିନ ମିଳୁନଥିବାବେଳେ ଗତ ଜାନୁଆରୀ ମାସରୁ ଆଉ ଚାଉଳ ମିଳୁନାହିଁ ବୋଲି ଗ୍ରାମବାସୀମାନେ ଅଭିଯୋଗ କରିଛନ୍ତି । ଏଥିସହିତ ଯଦି ଆଗାମୀ ଦିନରେ ଚାଉଳ ନମିଳେ ତେବେ ରାଜରାସ୍ତାକୁ ଓହ୍ଲାଇବେ ବୋଲି ପ୍ରଭାତୀ ହରିଜନ, ଭଗବତୀ ନାଏକ, ଇରାଇ ଭତରା ଓ ଲତା ଭତରାଙ୍କ ସମେତ ୪ଶହରୁ ଊର୍ଦ୍ଧ୍ୱ ହିତାଧିକାରୀ ଚେତାବନୀ ଦେଇଛନ୍ତି । ଗହମ ଓ କିରୋସିନ ସ୍ୱପ୍ନ ହୋଇଥିବାବେଳେ ୪ମାସ ହେବ ୪୦ ଟଙ୍କା ଦେଇ ଚାଉଳ କିଣି ଖାଉଥିବା ହିତାଧିକାରୀମାନେ ପ୍ରକାଶ କରିଛନ୍ତି । ଏସମ୍ପର୍କରେ ସ୍ଥାନୀୟ ପଞ୍ଚାୟତ ନିର୍ବାହୀ ଅଧିକାରୀ ବିଜୟ କେତନ ବଡ଼ନାୟକଙ୍କୁ ପଚାରିବାରୁ ଫୋନ୍ ଉଠାଇ ନଥିଲେ । ଅଧିକ ଜାଣିବା ପାଇଁ ଜିଲ୍ଲା ଯୋଗାଣ ଅଧିକାରୀ ସଞ୍ଜୀବ କୁମାର ସାହୁଙ୍କୁ ପଚାରିବାରୁ ଗହମ ଆଉ ଆସୁନାହିଁ, କରୋସିନ ଡିଲରମାନେ ଉଠାଉ ନାହାଁନ୍ତି ଓ ଚାଉଳ ମିଳୁନି ବୋଲି ଜାଣି ନଥିବା କହିବା ସହ ତଦନ୍ତ କରାଯାଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଶ୍ରୀ ସାହୁ କହିଛନ୍ତି ।