ବାଲି ଚୋରା ଚାଲାଣ ବେଳେ ଆରଆଇଙ୍କ ଚଢ଼ଉ

ଦେଓଗାଁ,ଏନ୍ଏନ୍ଏସ୍: ଦେଓଗାଁ ତହସିଲ ଅନ୍ତର୍ଗତ ବନ୍ଧପଡ଼ା ଆରଆଇ ସର୍କିଲର ପିପଲ ପଦରସ୍ଥିତ ସୋନଗଡ଼ ନଦୀରୁ ବାଲି ଚୋରା ଚାଲାଣ କରୁଥିବା ଏକ ଟ୍ରାକ୍ଟର ଉପରେ ଚଢ଼ଉ କରି ୧୦ ହଜାର ଟଙ୍କା ଫାଇନ ଆଦାୟ ହୋଇଥିବା ଜଣାପଡ଼ିଛି। ମିଳିଥିବା ରିପୋର୍ଟ ମୁତାବିକ, ବାଲି ଚୋରା ଚାଲାଣ ହେଉଥିବାର ଖବର ପାଇ ବନ୍ଧପଡ଼ା ଆରଆଇ ରାଜେଶ କର୍ମୀ ଧଣ୍ଡାମାଲ ପଞ୍ଚାୟତର ପିପଲପଦର ଗାଁରେ ଚଢ଼ଉ କରିଥିଲେ। ସେଠାରୁ ଓଡ଼ି ୦୩ ଆର ୩୫୮୬ ନମ୍ବର ବିଶିଷ୍ଟ ଏକ ଗାଡ଼ି ଜବତ କରିଥିଲେ। ପରେ ଘଟଣାସ୍ଥଳକୁ ଗାଡ଼ି ମାଲିକ ଆସି ୧୦ହଜାର ଟଙ୍କା ଜୋରିମାନା ଦେଇଥିଲେ।

ସୂଚନାଯୋଗ୍ୟ, ବନ୍ଧପଡ଼ା ଆରଆଇ ସର୍କିଲ ଅଧୀନରେ ଥିବା ସୋନଗଡ଼ ନଦୀରୁ ଅଞ୍ଚଳରେ ଥିବା କୁଜି ନେତାମାନେ ପ୍ରତିଦିନ ଟ୍ରାକ୍ଟର ଯୋଗେ ବାଲି ଚୋରା କାରବାର କରୁଛନ୍ତି। ଆରଆଇ ଚଢ଼ଉ କରିବାକୁ ଗଲେ ଏହି ନେତାମାନେ ନାଲି ଆଖି ଦେଖାଉଥିବା ଅଭିଯୋଗ ହେଉଥିଲା। କେବଳ ବାଲି ନୁହେଁ ବେଆଇନ ଭାବେ ପଥର ମଧ୍ୟ ଚୋରା ଚାଲାଣ ହେଉଛି। ତେଣୁ ଏହି ଅଞ୍ଚଳରେ ବାଲି ଚୋରକୁ କାବୁ କରିବା ପାଇଁ ନିୟମିତ ଚଢ଼ଉ କରିବାକୁ ସାଧାରଣରେ ଦାବି ହେଉଛି।