ସୁସ୍ଥ ହୋଇ ଘରକୁ ଫେରିଲେ ୩ ଯମଜ ସନ୍ତାନ, ବିଦାୟ ଜଣାଇଲେ ଡ଼ାକ୍ତରଖାନା କର୍ତ୍ତୃପକ୍ଷ

ଫୁଲବାଣୀ/ଗୋଛାପଡା,ଏନ୍‌ଏନ୍‌ଏସ୍‌: କନ୍ଧମାଳ ଜିଲ୍ଲା ଫିରିଙ୍ଗଆ ବ୍ଲକ୍‌ ପାହିରାଜୁ ପଞ୍ଚାୟତର ଗ୍ଲାବାସିଂ ଗ୍ରାମର ଜନକ କହଁରଙ୍କ ସ୍ତ୍ରୀ ପ୍ରତିମା କହଁର ଗତ ମାସ ୫ ତାରିଖ ଦିନ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ୩ ଯମଜ ସନ୍ତାନଙ୍କୁ ଜନ୍ମ ଦେଇଥିଲେ। ତେବେ ଜନ୍ମ ସମୟରେ ଶିଶୁ ମାନଙ୍କ ଓଜନ କମ ଥିଲା। ଏଥିସହ ଅନ୍ୟାନ୍ୟ ସମସ୍ୟା ବି ରହିଥିଲା। ଶିଶୁ ମାନଙ୍କ ସ୍ୱାସ୍ଥ୍ୟାବସ୍ଥା ଠିକ ନଥିବାରୁ ସେମାନଙ୍କୁ ଡାକ୍ତରଖାନାରେ ରଖି ସ୍ୱତନ୍ତ୍ର ଭାବେ ଚିକିତ୍ସା କରାଯାଉଥିଲା। ମୁଖ୍ୟ ଚିକିତ୍ସାଳୟ ଶିଶୁ ବିଭାଗ ଡାକ୍ତର ମାନଙ୍କ ଉଦ୍ୟମରେ ଦୀର୍ଘ ୩୭ ଦିନର ଚିକିତ୍ସା ପରେ ଏବେ ୩ ଯମଜ ଶିଶୁୁଙ୍କ ସ୍ୱାସ୍ଥ୍ୟ ଠିକ ହୋଇ ପାରିଛି।

ଆଜି ନିଜ ଯମଜ ପୁତ୍ର ସନ୍ତାନଙ୍କୁ ଧରି ଡାକ୍ତରଖାନରୁ ଡିସଚାର୍ଜ ହୋଇଛନ୍ତି ପ୍ରତିମା। ଆଜି ଡାକ୍ତରଖାନାର ଡାକ୍ତର ଓ ଅନ୍ୟାନ୍ୟ କର୍ମଚାରୀ ମାନେ ପ୍ରତିମା ଓ ଯମଜ ସନ୍ତାନମାନଙ୍କୁ ଡାକ୍ତରଖାନରୁ ବିଦାୟ ଦେଇଥିଲେ। ଏ ଅବସରରେ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡ. ମନୋଜ କୁମାର ଉପାଧ୍ୟାୟ, ଡ. ମନୋରଞ୍ଜନ ରାଉତ, ଡ. ପ୍ରଦୀପ ବେହେରା, ଡିଏମ୍‌ଆର୍‌ସିଏଚ୍ ଆଶୀଷ କୁମାର ମହାନ୍ତିଙ୍କ ସହ ଷ୍ଟାଫ୍‌ ନର୍ସ ଓ ଅନ୍ୟ କର୍ମଚାରୀମାନେ ଉପସ୍ଥିତ ରହି ବିଦାୟ ଦେବା ସହିତ ସହ ଶୁଭେଚ୍ଛା ଜଣାଇଥିଲେ। ଜନକ ଓ ପ୍ରତିମା ଡାକ୍ତର ଓ ସମସ୍ତ କର୍ମଚାରୀଙ୍କୁ ସେମାନଙ୍କ ଉଦ୍ୟମ ପାଇଁ କୃତଜ୍ଞତା ଜ୍ଞାପନ କରିଥିଲେ।