ପେନସନ୍ ଟଙ୍କାରେ ବୃଦ୍ଧ ଦମ୍ପତିଙ୍କ ଘର ତୋଳିଳେ ଅବସରପ୍ରାପ୍ତ ସୈନିକ

ଝାରସୁଗୁଡା,ଏନ୍ଏନ୍ଏସ୍: ଝାରସୁଗୁଡା ଜିଲ୍ଲା ବନ୍ଧବାହାଲ ଅଞ୍ଚଳର ଅବସରପ୍ରାପ୍ତ ସୈନିକ ରାଜେନ୍ଦ୍ର ଦିଗଲ ନିଜ ପେନସନ ଟଙ୍କାରେ ଅଚିହ୍ନା ଦମ୍ପତି ପାଇଁ ପକ୍କା ଘର ତିଆରି କରି ମାନବିକତାର ଏକ ନୂତନ ଉଦାହରଣ ଦେଇଛନ୍ତି। ବନ୍ଧବାହାଲ ଶାନ୍ତିନଗର ଅଞ୍ଚଳରେ ଏକ ଭଙ୍ଗା ଘରେ ରହୁଥିବା ଦମ୍ପତି ଯୋଗେଶ୍ୱର ବାଗ(୬୫) ଏବଂ ତାଙ୍କ ପତ୍ନୀ ସରସ୍ୱତୀ(୬୦)ଙ୍କ ଦୁଃଖ ଦେଖି ନପାରି ଦିଗଲ ଲକ୍ଷାଧିକ ଟଙ୍କା ବ୍ୟୟକରି ତାଙ୍କ ପାଇଁ ଏକ ପକ୍କା ଘର ତୋଳି ଦେଇଛନ୍ତି। ଏନେଇ ସେ କହିଛନ୍ତି, ଗତ ଜୁନରେ ସେ ଓ ତାଙ୍କ ପତ୍ନୀ ଶାନ୍ତିନଗର ରାସ୍ତାଦେଇ ଯାଉଥିବାବେଳେ ହଠାତ୍ ଜୋରରେ ବର୍ଷା ହୋଇଥିଲା। ଦିଗଲ ଓ ତାଙ୍କ ସ୍ତ୍ରୀ ମୁଣ୍ଡ ଗୁଞ୍ଜିବା ପାଇଁ ଏହି ଦମ୍ପତିଙ୍କ ଭଙ୍ଗା ଘରେ ଆଶ୍ରୟ ନେଇଥିଲେ।

ହେଲେ ବର୍ଷା ବଢିବା ପରେ ଘରର ଚାରିଆଡ଼େ ପାଣି ଗଳିବାରେ ଲାଗିଲା। ବର୍ଷାଦିନେ ଏହିପରି ଦୁର୍ଦ୍ଦଶାରେ ବୃଦ୍ଧ ଦମ୍ପତି ଦିନ କାଟୁଥିବାଦେଖି ରାଜେନ୍ଦ୍ର ଦିଗଲ ଓ ତାଙ୍କ ସ୍ତ୍ରୀ ସୁଜାତା ଦିଗଲ ସେମାନଙ୍କ ପାଇଁ ଘର ଟିଏ ତୋଳିବା ପାଇଁ ନିଷ୍ପତି ନେଇଥିଲେ। ତେବେ ସରକାରୀ ପକ୍କାଘର ପାଇଁ ନିଜସ୍ୱ ଜମି ଆବଶ୍ୟକ ହେଉଥିବାବେଳେ ଯୋଗେଶ୍ୱରଙ୍କ ପାଖରେ ନିଜସ୍ୱ ଜମି ନଥିବାରୁ ତାଙ୍କୁ ସରକାରୀ ଆବାସ ଘର ମିଳି ପାରିଲା ନାହିଁ। ଫଳରେ ରାଜେନ୍ଦ୍ର ନିଜସ୍ୱ ଟଙ୍କାରେ ବୃଦ୍ଧ ଦମ୍ପତିଙ୍କ ପାଇଁ ଆଜବେଷ୍ଟ ଛାତ ବିଶିଷ୍ଟ ପକ୍କାଘର ତିଆରି କରି ସେମାନଙ୍କୁ ହସ୍ତନ୍ତର କରିଛନ୍ତି। ଏହି ଘରର ଉଦ୍ଘାଟନୀ ଉତ୍ସବରେ ବ୍ରଜରାଜନଗର ବିଧାୟକ କିଶୋର ମହାନ୍ତ ଯୋଗଦେଇ ରାଜେନ୍ଦ୍ରଙ୍କ ଏହି ମହତ କାମ ପାଇଁ ପ୍ରଶଂସା କରିଥିଲେ।