କୋଭିଡ୍ ଚିକିତ୍ସାରେ ମୁତୟନ ହେବେ ଅବସରପ୍ରାପ୍ତ ସେନା ଡାକ୍ତର

ନୂଆଦିଲ୍ଲୀ,ଏଜେନ୍ସି: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସୋମବାର ଚିଫ୍ ଅଫ୍ ଡିଫେନ୍ସ ଷ୍ଟାଫ୍(ସିଡିଏସ୍) ଜେନେରାଲ ବିପିନ ରାୱତଙ୍କ ସହ କୋଭିଡ୍ ସ୍ଥିତିରେ ସେନାର ଭୂମିକା ସମ୍ପର୍କରେ ଆଲୋଚନା କରିଛନ୍ତି। ବିଶେଷକରି କୋଭିଡ୍ ମୁକାବିଲାରେ ସେନା ପକ୍ଷରୁ ଯେଉଁସବୁ କାର୍ଯ୍ୟ କରାଯାଉଛି, ସେ ସମ୍ପର୍କରେ ଜେନେରାଲ ରାୱତ ପ୍ରଧାନମନ୍ତ୍ରୀଙ୍କୁ ଅବଗତ କରିଛନ୍ତି। କୋଭିଡ୍ ସଂକ୍ରମଣ ହୁ ହୁ ହୋଇ ବଢ଼ୁଥିବାରୁ ହସ୍ପିଟାଲରେ ଅକ୍ସିଜେନ ଓ ବେଡ୍ର ଅଭାବ ଦେଖାଦେଇଛି। ଏଭଳି ସ୍ଥିତିରେ ଅଧିକ ଡାକ୍ତର ଓ ନର୍ସଙ୍କ ଆବଶ୍ୟକତା ପଡ଼ୁଥିବାରୁ ଅବସରପ୍ରାପ୍ତ ସେନା ଡାକ୍ତର ଓ ସ୍ୱାସ୍ଥ୍ୟକର୍ମୀଙ୍କୁ ନିୟୋଜିତ କରାଯିବା ସମ୍ପର୍କରେ ଦୁହିଁଙ୍କ ମଧ୍ୟରେ ଆଲୋଚନା ହୋଇଥିଲା। ଜେନେରାଲ ରାୱତ କହିଥିଲେ, ଗତ ଦୁଇବର୍ଷ ମଧ୍ୟରେ ଅବସର ନେଇଥିବା ଡାକ୍ତରମାନଙ୍କୁ କୋଭିଡ୍ ଚିକିତ୍ସା ପାଇଁ ପୁଣି ଡକାଇ ନିୟୋଜିତ କରାଯାଉ। ସେହିପରି ଅବସର ନେଇଥିବା ନର୍ସିଂ ଷ୍ଟାଫଙ୍କୁ ମଧ୍ୟ ନିୟୋଜିତ କରିବା ଲାଗି ଜେନେରାଲ ରାୱତ ପ୍ରଧାନମନ୍ତ୍ରୀଙ୍କୁ ପ୍ରସ୍ତାବ ଦେଇଛନ୍ତି।