କୋଭିଡ୍ ପରିସ୍ଥିତି ନେଇ ଜାପାନ ପ୍ରଧାନମନ୍ତ୍ରୀଙ୍କ ସହ ମୋଦୀଙ୍କ ଆଲୋଚନା

ନୂଆଦିଲ୍ଲୀ,ଏଜେନ୍ସି: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସୋମବାର ଜାପାନ ପ୍ରଧାନମନ୍ତ୍ରୀ ୟୋଶିହିଦେ ସୁଗାଙ୍କ ସହ ଟେଲିଫୋନରେ ଆଲୋଚନା କରିଛନ୍ତି। ଏହି ଦୁଇ ନେତା ବିଭିନ୍ନ ଦ୍ୱିପାକ୍ଷିକ ପ୍ରସଙ୍ଗରେ ଆଲୋଚନା କରିବା ସହ କୋଭିଡ୍ ପରିସ୍ଥିତିର ମିଳିତ ମୁକାବିଲା ଲାଗି ସଂକଳ୍ପବଦ୍ଧ ହୋଇଛନ୍ତି। କୋଭିଡ୍ ମୁକାବିଲାରେ ଜାପାନ ସହାୟତା କରିଥିବାରୁ ପ୍ରଧାନମନ୍ତ୍ରୀ ମୋଦୀ ପ୍ରଧାନମନ୍ତ୍ରୀ ସୁଗାଙ୍କୁ ଧନ୍ୟବାଦ ଦେଇଛନ୍ତି। ମୁମ୍ବାଇ-ଅହମ୍ମଦାବାଦ ହାଇସ୍ପିଡ୍ ରେଳ ପ୍ରକଳ୍ପର ଅଗ୍ରଗତି ସମ୍ପର୍କରେ ଦୁହିଁଙ୍କ ମଧ୍ୟରେ ଆଲୋଚନା ହୋଇଛି। ନିକଟ ଭବିଷ୍ୟତରେ ଜାପାନ ପ୍ରଧାନମନ୍ତ୍ରୀ ଭାରତ ଗସ୍ତରେ ଆସିବାର ଥିବାରୁ ତାଙ୍କ ଆଗମନକୁ ଅପେକ୍ଷା କରାଯାଇଛି ବୋଲି ମୋଦୀ କହିଛନ୍ତି। କୋଭିଡ୍ ମହାମାରୀ ପରିସ୍ଥିତିରେ ସୁଧାର ଆସିଲେ ଜାପାନ ପ୍ରଧାନମନ୍ତ୍ରୀ ସୁଗା ଭାରତ ଗସ୍ତରେ ଆସିବେ ବୋଲି ସରକାରୀ ସୂତ୍ରରୁ ଜଣାପଡ଼ିଛି।