ମମତାଠୁ କର୍ତ୍ତବ୍ୟ ବଡ଼

ଝାରସୁଗୁଡ଼ା,ଏନ୍ଏନ୍ଏସ୍: ମା’ ର ମମତାଠୁ ଦୁନିଆରେ ଆଉ କିଛି ବଡ଼ ନାହିଁ। ହେଲେ କର୍ତ୍ତବ୍ୟ ପାଳନ, ଦେଶ ତଥା ରାଜ୍ୟବାସୀଙ୍କ ସୁରକ୍ଷା ମମତାଠୁ ବଡ଼ ବୋଲି ପ୍ରମାଣ କରି ଦେଖାଇଛନ୍ତି ଝାରସୁଗୁଡ଼ା ଜିଲ୍ଲା ଲଇକେରା ଥାନାର ମହିଳା ହୋମଗାର୍ଡ ଚନ୍ଦ୍ରିକା ସିଂ(୩୨)। ଜିଲ୍ଲାରେ ଲକଡାଉନ ନିୟମ ଯେପରି ଉଲଂଘନ ନ ହେବ ଏବଂ ଲୋକେ ଘରେ ରହି କରୋନା କବଳରୁ ରକ୍ଷା ପଇପାରିବେ ସେଥିପାଇଁ ପ୍ରତିଦିନ ସେ ନିଜର ୩ ମାସର ଶିଶୁକୁ ସାଙ୍ଗରେ ନେଇ କାର୍ଯ୍ୟକୁ ଆସୁଛନ୍ତି। ଥାନାକୁ ଆସି ନିଜ କାମ କରିବା ସହ ଥାନା ଅଧୀନରେ ଥିବା ବିଭିନ୍ନ ସ୍ଥାନରେ ପେଟ୍ରେଲିଂ କରିବା ସହ ଆବଶ୍ୟକସ୍ଥଳେ ଛକଗୁଡ଼ିକରେ ଜଗି ରହୁଛନ୍ତି । କର୍ତ୍ତବ୍ୟ ପାଳନ ଓ ଲୋକଙ୍କ ସୁରକ୍ଷା ପାଇଁ ନିଜର ମମତାକୁ ମଧ୍ୟ ବଳିଦାନ କରୁଥିବା ଏହି କରୋନା ଯୋଦ୍ଧା ଚନ୍ଦ୍ରିକା ସିଂଙ୍କୁ ଝାରସୁଗୁଡ଼ା ଜିଲ୍ଲା ଆରକ୍ଷୀ ଅଧିକାରୀ ଅଶ୍ୱନୀ କୁମାର ମହାନ୍ତିଙ୍କ ସହ ସମସ୍ତ ପୁଲିସ ଅଧିକାରୀ ପ୍ରଶଂସା କରିଛନ୍ତି। ଶିଶୁର ଯତ୍ନ ନେବା ପାଇଁ ଦେଶର ଏହି ବିପତ୍ତିି ସମୟରେ ନିଜର କର୍ତ୍ତବ୍ୟକୁ ପଛରେ ପକାଇ ହେବ ନାହିଁ ବୋଲି ଚନ୍ଦ୍ରିକା ସିଂ କହିଛନ୍ତି।