ନ୍ୟୁୟର୍କ,ଏଜେନ୍ସି: ରୁଷିଆକୁ ସଂଯୁକ୍ତ ରାଷ୍ଟ୍ର ମାନବାଧିକାର (UNHRC) ରୁ ବେଦଖଲ କରିବାର ପ୍ରସ୍ତାବ ସଂଯୁକ୍ତ ରାଷ୍ଟ୍ର ମହାସଭା (UNGA)ରେ ପାସ୍ ହୋଇଯାଇଛି। ଭାରତ ମଧ୍ୟ ଏଥର ଭୋଟିଂରେ ଅଂଶଗ୍ରହଣ କରିନାହିଁ। ରୁଷିଆ ବିପକ୍ଷରେ ଅଣାଯାଇଥିବା ପ୍ରସ୍ତାବର ସମର୍ଥନରେ ୯୩ଟି ଦେଶ ଭୋଟ ଦେଇଛନ୍ତି। କିନ୍ତୁ ୨୪ ଦେଶ ପ୍ରସ୍ତାବ ବିରୋଧରେ ଭୋଟ ଦେଇଥିବା ବେଳେ ୫୮ଟି ଦେଶ ଭୋଟିଂରେ ଅଂଶଗ୍ରହଣ କରିନାହାନ୍ତି।
UNHRCରୁ ବେଦଖଲକୁ ନେଇ ହୋଇଥିବା ଭୋଟିଂ ପରେ କ୍ରେମଲିନର ମୁଖପାତ୍ର ଦିମିତ୍ରୀ ପେସକୋଭ କହିଛନ୍ତି ଯେ, ରୁଷିଆ ନିଜର ମଙ୍ଗଳ ପାଇଁ ରକ୍ଷା କରିବ। ସୂଚନାଯୋଗ୍ୟ, ରୁଷିଆ ବିରୋଧରେ ଏହି ପ୍ରସ୍ତାବ ଆମେରିକା ରଖିଥିଲା। ୟୁକ୍ରେନ୍ର ରାଜଧାନୀ କିଭ୍ ଉପନଗର ବୁଚାରୁ ସାମ୍ନାକୁ ଆସିଥିବା ନାଗରିକଙ୍କ ମୃତଦେହ ଭୟାବହ ଭିଡିଓ ପରେ ଆମେରିକାର ରାଷ୍ଟ୍ରଦୂତ ଲିଣ୍ଡା ଥୋମାସ-ଗ୍ରୀନଫିଲ୍ଡ ରୁଷିଆକୁ ମାନବାଧିକାର ପରିଷଦରୁ ହଟାଇବା ପାଇଁ UNGAରେ ସ୍ବତନ୍ତ୍ର ବୈଠକ ଆହ୍ବାନ କରାଯାଇଥିଲା।
UNGA ଭୋଟିଂ ପୂର୍ବରୁ ଭାରତସ୍ଥିତ ରୁଷିଆ ଦୂତାବାସ ବୟାନ ଜାରି କରି ବୁଚା ସହରରେ ହୋଇଥିବା ଆକ୍ରମଣକୁ ତୀବ୍ର ନିନ୍ଦା କରିଥିଲା। ଦୂତାବାସ କହିଥିଲା ଯେ, ବୁଚାରେ ଜଘନ୍ୟ ଆକ୍ରମଣ ଦ୍ବିତୀୟ ବିଶ୍ବଯୁଦ୍ଧ ସମୟରେ ନାଜି ଅପରାଧର ଦୁଖଦପୂର୍ଣ୍ଣ ଘଟଣାକୁ ମନେ ପକାଇ ଦେଉଛି। ଭାରତ ସହିତ ବିଶ୍ବରେ ଅନେକ ରାଷ୍ଟ୍ର ଏହି ଘୃଣିତ କାମକୁ ନିନ୍ଦା କରୁଛନ୍ତି। ରୁଷିଆ ଏହି ଘୃଣିତ ଯୁଦ୍ଧ ଅପରାଧରେ ସାମିଲ ଲୋକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବାକୁ ପ୍ରତିଶ୍ରୁତି ଦେଉଛି। କିନ୍ତୁ ଏହା ପୂର୍ବରୁ ଘଟଣାର ନିରପେକ୍ଷ ତଦନ୍ତ ହେବା ଦରକାର।