ଆନ୍ଧ୍ର ବିରୋଧରେ ସୀମାନ୍ତ ଓଡିଶା ବାସୀଙ୍କ ଶୋଭାଯାତ୍ରା

କୋରାପୁଟ,ଏନ୍ଏନ୍ଏସ୍: ପଟ୍ଟାଙ୍ଗୀ ତହସିଲ ସୁନାବେଡା ସୀମା ବିବାଦ ସମାଧାନ ନିମନ୍ତେ ଉଭୟ ରାଜ୍ୟ ମଧ୍ୟରେ ଦୁଇଥର ଆଲୋଚନା ହୋଇଥିଲେ ସୁଦ୍ଧା ସମାଧାନର ବାଟ ନ ଫିଟିବାରୁ ସ୍ଥାନୀୟ ଗ୍ରାମବାସୀ ଆନ୍ଧ୍ର ପ୍ରଦେଶ ବିରୋଧରେ ଶୋଭାଯାତ୍ରା ଆରମ୍ଭ କରିଛନ୍ତି।

ସୂଚନା ଅନୁସାରେ ସମ୍ବାଇ ପଞ୍ଚାୟତର ୧୪ ଖଣ୍ଡ ଗ୍ରାମବାସୀ ଏକତ୍ରିତ ହୋଇ ନୂତନ ବର୍ଷରେ ବନ୍ଧୁ ମିଳନ କାର୍ଯ୍ୟକ୍ରମ ଆୟୋଜନ କରିଥିବାବେଳେ ଆନ୍ଧ୍ର ପ୍ରଦେଶର ଡେକାପାର୍ ଗ୍ରାମବାସୀ ବିରୋଧ କରିଥିଲେ। ଉଭୟ ଗ୍ରାମବାସୀଙ୍କ ମଧ୍ୟରେ କିଛି ସମୟ ଉତ୍ତେଜନା ପ୍ରକାଶ ପାଇଥିଲା। ଏହାପରେ ପଞ୍ଚାୟତବାସୀ ମେଳି ହୋଇ ଆନ୍ଧ୍ର ସରକାରଙ୍କ ବିରୋଧରେ ସ୍ଲୋଗାନ ଦେଇ ଶୋଭାଯାତ୍ରା କରି ସୀମା ଚିହ୍ନଟ ତୁରନ୍ତ କରିବାକୁ ଦାବି କରିଥିଲେ। ଓଡିଶା ଓ ଆନ୍ଧ୍ର ପକ୍ଷରୁ ଦୁଇଥର ଆଲୋଚନା କରାଯିବା ପରେ ୨୦୨୦ ଡିସେମ୍ବର ୨୮ ତାରିଖ ଦିନ ଉଭୟ ପକ୍ଷ ଆଲୋଚନା କରିବାକୁ ଦିନ ଧାର୍ଯ୍ୟ କରାଯାଇଥିଲା। କିନ୍ତୁ ଆନ୍ଧ୍ର ପ୍ରଦେଶର ଅଧିକାରୀମାନେ ନ ଆସିବାରୁ ତାହା ହୋଇପାରି ନଥିଲା ବୋଲି ଜିଲ୍ଲାପାଳ ମଧୁସୂଦନ ମିଶ୍ର ସୂଚନା ଦେଇଛନ୍ତି।