ପଞ୍ଜାବ ମୁଖ୍ୟମନ୍ତ୍ରୀଙ୍କୁ ହତ୍ୟା କଲେ ମିଳିବ ୧୦ ଲକ୍ଷ ଟଙ୍କା, ପୁଲିସ ଜବତ କଲା ପୋଷ୍ଚର

ଚଣ୍ଡିଗଡ଼,ଏଜେନ୍ସି: ପଞ୍ଜାବ ମୁଖ୍ୟମନ୍ତ୍ରୀ ଅମରିନ୍ଦର ସିଂଙ୍କୁ ହତ୍ୟା କଲେ ୧୦ ଲକ୍ଷ ଟଙ୍କା ମିଳିବ ବୋଲି ଲେଖାଥିବା ଏକ ପୋଷ୍ଟରକୁ ପୁଲିସ ଜବତ କରିଛି। ଏହି ଘଟଣାରେ ପଞ୍ଜାବ ପୁଲିସ ମାମଲା ରୁଜୁ କରି ଏହି ପୋଷ୍ଟର ଲଗାଇବା ପଛରେ କାହାର ହାତ ଅଛି ସେନେଇ ତଦନ୍ତ ଆରମ୍ଭ କରିଛି।

ସୂଚନା ଅନୁସାରେ ମୋହାଲି ସେକ୍ଟର ୬୬ ଓ ୬୭ରେ ଥିବା ଗାଇଡ୍‌ ମ୍ୟାପ୍‌ରେ ଏଭଳି ପୋଷ୍ଟର ଲଗାଯାଇଥିବା ଦେଖିବାକୁ ମିଳିଥିଲା। ସେଥିରେ ଏକ ଇ-ମେଲ୍‌ ଠିକଣା ଉଲ୍ଲେଖ ରହିଛି। ସାଇବର କ୍ରାଇମ୍‌ ଟିମ୍‌ ସହାୟତାରେ ମେଲ୍‌ ଆଇଡିକୁ ଯାଞ୍ଚ କରାଯାଉଛି।

ଏହା ପୂର୍ବରୁ ଗତ ଡିସେମ୍ବର ୧୪ ତାରିଖରେ ମଧ୍ୟ ଅମରିନ୍ଦରଙ୍କ ଫଟୋ ଥିବା ଏକ ହୋର୍ଡିଂ ଲଗାଯାଇଥିଲା, ଯେଉଁଥିରେ ତାଙ୍କ ମୁହଁରେ କଳାରଙ୍ଗ ବୋଳାଯାଇଥିବା ଦେଖିବାକୁ ମିଳିଥିଲା। ଖଲିସ୍ତାନୀ ସଂଗଠନ ‘ଶିଖ୍‌ ଫର୍‌ ଜଷ୍ଟିସ୍‌’ ପୂର୍ବରୁ ମୁଖ୍ୟମନ୍ତ୍ରୀ ସିଂଙ୍କୁ ହତ୍ୟା ପାଇଁ ଧମକ ଦେଇଥିବାରୁ ଏହି ଘଟଣାରେ ମଧ୍ୟ ଖଲିସ୍ତାନୀଙ୍କ ହାତ ଥିବା ଅନୁମାନ କରାଯାଉଛି।