କାଫେ ଉଦଘାଟନ ପୂର୍ବରୁ ତାଲା ମାରିଲେ ପଡ଼ାବାସୀ

ପାଟଣାଗଡ଼,ଏନ୍‌ଏନ୍‌ଏସ୍‌: ୧୩ ନମ୍ବର ୱାର୍ଡରେ ମହିଳାଙ୍କ ବ୍ୟବହାର କରିବା ପାଇଁ ଏନଏସି ପକ୍ଷରୁ ଏକ ମିଶନ ଶକ୍ତି ଗୃହ ନିର୍ମାଣ କରାଯାଇ ସେହି ଗୃହରେ ବିଭିନ୍ନ ସମୟରେ ବୈଠକ କରିବା ପାଇଁ କୁହାଯାଇଥିଲା । କିନ୍ତୁ ପରବର୍ତ୍ତୀ ସମୟରେ ଏନଏସି ପ୍ରଶାସନ ପକ୍ଷରୁ ସେଠାରେ ମିଶନ ଶକ୍ତି ଦ୍ୱାରା ଏକ ସୁନ୍ଦର କାଫେ କରିବା ପାଇଁ ବିଏଲସି ତରଫରୁ ଏକ ସ୍ୱୟଂ ସହାୟକ ଗୋଷ୍ଠୀକୁ ଅନୁମତି ପ୍ରଦାନ କରାଯାଇଥିଲା । ଅନୁମତି ପାଇଥିବା ସ୍ୱୟଂ ସହାୟକ ଗୋଷ୍ଠୀକୁ ବିରୋଧ କରି ୧୩ ନଂ ୱାର୍ଡ ବାସୀ ତରଫରୁ କାଫେକୁ ତାଲା ମାରି ଦେଇଥିବା ଦେଖିବାକୁ ମିଳିଛି । ଏଠାରେ ଆଦିମାତା ସ୍ୱୟଂ ସହାୟକ ଗୋଷ୍ଠୀ ଥିବା ସତ୍ୱେ ଗ୍ରାମାଞ୍ଚଳରେ ଥିବା ଏକ ଗୋଷ୍ଠୀକୁ ଦେଇଥିବାରୁ ଆମେ ଏହାକୁ ବିରୋଧ କରି ତାଲା ମାରିଛୁ ବୋଲି ପଡ଼ାର ମହିଳାମାନେ କହିଛନ୍ତି ।

ସୂଚନାଯୋଗ୍ୟ, ବିଧାୟକ ସରୋଜ କୁମାର ମେହେରଙ୍କ ଦ୍ୱାରା ଆଜି କାଫେକୁ ଉଦଘାଟନ କରିବାର କାର୍ଯ୍ୟକ୍ରମ ଅନୁଷ୍ଠିତ ହେବାର ଥିଲା । କିନ୍ତୁ ୧୩ ନମ୍ବର ୱାର୍ଡର ମହିଳାମାନେ କାଫେ ସମ୍ମୁଖରେ ଉପସ୍ଥିତ ରହି ବିରୋଧ କରି ଜିଲ୍ଲାପାଳଙ୍କ ଉଦ୍ଦେଶ୍ୟରେ ଏକ ଦାବୀପତ୍ର ପ୍ରଦାନ କରିଥିଲେ । ପଡ଼ାର ରମା କୁମ୍ଭାର, ମଞ୍ଜୁଳତା ଜାଲ, ସଙ୍ଗୀତା ମହାନନ୍ଦ, ଗୁଳାପୀ କୁମ୍ଭାର, ମିନା ସୁନା, କୁନ୍ତଳା ନାଗ, ଅନିତା ମହାନନ୍ଦ, ଲେଖା ନାଗ, ଚନ୍ଦ୍ରକଳା ନାଗ ଓ ଅରୁଣା ନାଗ ସମେତ ଶତାଧିକ ମହିଳା ଅଂଶଗ୍ରହଣ କରିଥିଲେ ।