ନିଖୋଜ ସୁନା ବ୍ୟବସାୟୀଙ୍କ ମୃତଦେହ ଉଦ୍ଧାର

ଦେଓଗାଁ,ଏନ୍ଏନ୍ଏସ୍ : ଗତ ୫ ତାରିଖରୁ ନିଖୋଜ ହୋଇଥିବା ସୁନା ବ୍ୟବସାୟୀଙ୍କ ମୃତଦେହ ୧୭ ଦିନ ପରେ ଦେଓଗାଁ ପୁଲିସ ଉଦ୍ଧାର କରିଛି। ଏନେଇ ଏକ ହତ୍ୟା ମମାଲ ରୁଜୁ କରି ଦେଓଗାଁ ପୁଲିସ ତନାଘନା ମଧ୍ୟ ଆରମ୍ଭ କରିଛି । ମିଳିଥିବା ରିପୋର୍ଟ ମୁତାବିକ, ଦେଓଗାଁ ଥାନା ଅନ୍ତର୍ଗତ ଚିପାକାନୀ ଜଙ୍ଗଲରେ ଏକ ଶବ ପଡ଼଼ିଥିବାର ଖବର ରବିବାର ରାତିରେ ମିଳିଥିଲା। ଉକ୍ତ ଶବଟି ହାତୀସରା ଗାଁର ଗଜାନନ ମେହେରଙ୍କର ବୋଲି ପରିବାର ଲୋକଙ୍କ ଚିହ୍ନଟ ପରେ ଜଣାପଡ଼ିଥିଲା । ପରେ ଘଟଣାସ୍ଥଳକୁ ବଲାଙ୍ଗିର ଏସଡ଼ିପିଓ, ଦେଓଗାଁ ଓଆଇସି ଓ ସାଇଣ୍ଟିଫିକ ଦଳ ପହଂଚି ଶବ ଜବତ କରି ତଦନ୍ତ ଆରମ୍ଭ କରିଥିଲେ । ଏ ସଂକ୍ରାନ୍ତରେ ବଲାଙ୍ଗିର ଏସଡିପିଓ ଶ୍ରୀମନ୍ତ ବାରିକ କହିଛନ୍ତି ଯେ, ଗତ ୬ ତାରିଖ ଦିନ ଦେଓଗାଁ ଥାନାରେ ଏକ ନିଖୋଜ ମାମଲା ରୁଜୁ ହୋଇଥିଲା ଏବଂ କିଛି ସୁରାକ ନ ମିଳିବାରୁ ପରିବାର ଲୋକେ ଅପହରଣ ଅଭିଯୋଗ କରିଥିଲେ। ଏବେ ହତ୍ୟା ମାମଲା ରୁଜୁ କରାଯାଇ ତଦନ୍ତ ଚାଲିଥିବାବେଳେ ଖୁବଶୀଘ୍ର ହତ୍ୟାକାରୀ ଧରାପଡ଼ିବ ବୋଲି ଏସଡିପିଓ ଶ୍ରୀ ବାରିକ କହିଛନ୍ତି।

ସୂଚନାଯୋଗ୍ୟ, ଦେଓଗାଁ ଥାନା ହାତୀସରା ଗାଁର ସୁନା ବ୍ୟବସାୟୀ ଗଜାନନ ମେହେର ଗତ ୧୭ ଦିନ ତଳେ ଅର୍ଥାତ ୫ ତାରିଖ ଶୁକ୍ରବାର ଦିନ ସକାଳ ସାଢ଼େ ୮ଟାରେ ପାଟଣାଗଡ଼ ଯାଉଥିବା ସମ୍ପର୍କରେ ଘରେ କହି ଯାଇଥିଲେ। ଗଜାନନ ସଂନ୍ଧ୍ୟା ସୁଦ୍ଧା ଘରକୁ ନଫେରିବାରୁ ପରିବାର ଲୋକେ ସନ୍ଦେହରେ ରହିଥିଲେ। ଗୋଟିଏ ଦିନ ଖୋଜାଖୋଜି କରିବା ପରେ କୌଣସି ପତ୍ତା ନ ମିଳିବାରୁ ନିଖୋଜ ଥିବା ନେଇ ଶନିବାର ଦେଓଗାଁ ଥାନାରେ ବାପା ସାରଙ୍ଗ ମେହେର ଅଭିଯୋଗ କରିଥିଲେ। ପରେ ୯ ତାରିଖ ସନ୍ଧ୍ୟାରେ ନିଖୋଜ ଗଜାନନର ବଡ଼ଭାଇ ଗୌତମ ମେହେର ଦେଓଗାଁ ଥାନାରେ ସାରସବାହାଲ ଗାଁର ଶୀର ରଣା ଅପହରଣ କରିଥିବା ନେଇ ଅନ୍ୟ ଏକ ଅଭିଯୋଗ କରିଥିଲେ।