କୋଲକାତା ପୋର୍ଟର ନୂତନ ନାମ ଶ୍ୟାମାପ୍ରସାଦ ମୁଖାର୍ଜୀ ପୋର୍ଟ

କୋଲକାତା,ଏଜେନ୍ସି: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରବିବାର କୋଲକାତା ପୋର୍ଟ ଟ୍ରଷ୍ଟର ୧୫୦ ତମ ବାର୍ଷିକୀ ଉତ୍ସବରେ ଯୋଗଦେଇ ଏହାର ନାମ ପରିବର୍ତ୍ତନ କରିବାକୁ କହିଛନ୍ତି। ଏହି ଅବସରରେ ଶ୍ରୀ ମୋଦୀ କହିଛନ୍ତି ଯେ ଏହି ପୋର୍ଟ ଟ୍ରଷ୍ଟର ନାମ ପରିବର୍ତ୍ତନ କରି ଶ୍ୟାମାପ୍ରସାଦ ମୁଖାର୍ଜୀ ପୋର୍ଟ କରାଯିବ। ତେବେ ମୋଦୀଙ୍କ ମତରେ ଡ. ଶ୍ୟାମାପ୍ରସାଦ ମୁଖାର୍ଜୀ ଭାରତରେ ଉଦ୍ୟୋଗର ମୂଳଦୁଆକୁ ମଜଭୁତ କରିଛନ୍ତି, ତେଣୁ ତାଙ୍କ ନାଁରେ ପୋର୍ଟର ନାମକରଣ କରିବାକୁ କହିଛନ୍ତି।

ଅନ୍ୟପଟେ ଶ୍ରୀ ମୋଦୀ ତାଙ୍କ ୨ ଦିନିଆ ପଶ୍ଚିମବଙ୍ଗ ଗସ୍ତ ସମୟରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ସାକ୍ଷାତ୍‌ କରିବା ସହିତ ବେଲୁର ମଠ ଠାରେ ରାତ୍ରି ଜାପନ କରିଥିଲେ। ଏହି ପରିପ୍ରେକ୍ଷୀରେ ରବିବାର ସକାଳେ ସେ ସ୍ୱାମୀ ବିବେକାନନ୍ଦଙ୍କ ଜୟନ୍ତୀ ଅବସରରେ ଯୁବ ବର୍ଗଙ୍କୁ ସମ୍ବୋଧିତ କରି ସିଏଏକୁ ସମର୍ଥନର ବାର୍ତ୍ତା ଦେଇଥିଲେ। ପରେ ସେ କୋଲକାତା ପୋର୍ଟ ଟ୍ରଷ୍ଟର ୧୫୦ତମ ବାର୍ଷିକ ଉତ୍ସବରେ ଯୋଗଦେଇଥିଲେ। ଏହି ସବୁ ପରେ ମୋଦୀଙ୍କ କାର୍ଯ୍ୟକ୍ରମରେ ମମତା ବାନାର୍ଜୀ ଯୋଗ ଦେଇନଥିବାରୁ ଏ ନେଇ ସାଧାରଣରେ ରାଜନୈତିକ ଗୁଜବ ସୃଷ୍ଟି ହୋଇଛି।