ଜାମ୍ମୁ,ଏଜେନ୍ସି: ଛୁଟିରେ ଯାଇ ଆତଙ୍କବାଦୀଙ୍କ ସହ ବୁଲୁଥିବା ଜଣେ ଡିଏସପିଙ୍କୁ ଜାମ୍ମୁ-କାଶ୍ମୀର ପୁଲିସ ରବିବାର ଗିରଫ କରିବା ସହ ୨ ଆତଙ୍କବାଦୀଙ୍କୁ ମଧ୍ଧ୍ୟ ଗିରଫ କରିଛି। ଡିଏସପି ଜଣକ ହେଲେ ଦବୀନ୍ଦର ସିଂ। ଗତ ଅଗଷ୍ଟ ୧୫ରେ ଦବୀନ୍ଦରଙ୍କୁ ରାଷ୍ଟ୍ରପତି ପଦକ ପ୍ରଦାନ କରାଯାଇ ସମ୍ମାନିତ କରାଯାଇଥିଲା। ଶନିବାର ସେ ଦକ୍ଷିଣ କାଶ୍ମୀର ଅନ୍ତର୍ଗତ କୁଲଗାମ ଜିଲ୍ଲାର ମୀର୍ ବଜାର ଅଞ୍ଚଳରେ ଲସ୍କର-ଏ-ତୋଇବା ଏବଂ ହିଜବୁଲ ମୁଜାହିଦ୍ଦିନର ୨ ଆତଙ୍କବାଦୀଙ୍କ ସହିତ କାରରେ ଯାଉଥିବାବେଳେ ପୁଲିସ ତାଙ୍କୁ ସେମାନଙ୍କୁ ଗିରଫ କରିଛି। ସେହିପରି ଗିରଫ ୨ ଆତଙ୍କବାଦୀ ଲସ୍କର କମାଣ୍ଡର ସଇଦ ନବୀଦ ମୁସ୍ତାକ ଓରଫ ନବୀଦ ବାବୁ ଏବଂ ହିଜବୁଲର ଅଲତାଫ ଆସିଫ ଦାର।
ଏହି ସମୟରେ କାରରୁ ୨ଟି ଏକେ-୪୭ ଏବଂ କିଛି ହ୍ୟାଣ୍ଡ ଗ୍ରେନେଡ୍ ଜବତ ହୋଇଛି। ପରେ ପୁଲିସ ତଥ୍ୟ ସଂଗ୍ରହରେ ଡିଏସପିଙ୍କ ଶ୍ରୀନଗର ସ୍ଥିତ ବାସଭବନରେ ଚଢ଼ଉ କରାଯାଇଛି। ସେଠାରୁ ମଧ୍ୟ ଗୋଟିଏ ଏକେ-୪୭, ୨ଟି ବନ୍ଧୁକ ଏବଂ ୩ଟି ଗ୍ରେନେଡ୍ ମିଳିଛି।
ଡିଏସପି ଦବୀନ୍ଦର ଶ୍ରୀନଗର ବିମାନବନ୍ଦରରେ ଆଣ୍ଟି ହାଇଜାକିଂ ସ୍କ୍ୱାଡ଼ରେ ମୁତୟନ ଥିଲେ। ସେ ଜାମ୍ମୁ ଯିବା ଲାଗି ୪ଦିନ ଛୁଟି ନେଇଥିଲେ। କିନ୍ତୁ ସେ ୨ରୁ ୩ଦିନ ଧରି ଆତଙ୍କବାଦୀଙ୍କ ସହିତ ବୁଲୁଥିବା ନେଇ ଗୁଇନ୍ଦା ସୂଚନା ମିଳିବା ପରେ ପୁଲିସ ସେମାନଙ୍କୁ ଧରିଛି। ଗାଡ଼ିରେ ବସିଥିବା ୨ ଆତଙ୍କୀ ଏବଂ ଡିଏସପି ସମସ୍ତେ ପଗଡ଼ି ବାନ୍ଧିଥିଲେ। ଫଳରେ କାହାକୁ ଯେପରି କୌଣସି ସନ୍ଦେହ ହେବ ନାହିଁ। ଡିଏସପି ଏହି ଆତଙ୍କବାଦୀମାନଙ୍କୁ ଘାଟିରୁ ବାହାରକୁ ନେବା ଲାଗି ଯୋଜନା କରୁଥିଲେ ବୋଲି ଜଣାପଡ଼ିଛି।