ଦେବଗଡ଼,ଏନ୍ଏନ୍ଏସ୍: ସଂପ୍ରତି ସାରା ଦେଶରେ କରୋନା ସଂକ୍ରମଣକୁ ନେଇ ଜନ ସାଧାରଣ ଆତଙ୍କିତ ଥିବାବେଳେ ଦେବଗଡ଼ ଜିଲ୍ଲାରେ ଗତ ଏପ୍ରିଲ ୨୯ ତାରିଖ ଦିନ ପ୍ରଥମ କରୋନା ସଂକ୍ରମଣ ବ୍ୟକ୍ତି ଚିହ୍ନଟ ହୋଇଥିଲା। କରୋନା ସଂକ୍ରମଣ ଚିହ୍ନଟ ବ୍ୟକ୍ତି ଜଣକ ତିଲେଇବଣୀ ବ୍ଲକ୍ କଲଣ୍ଡା ପଞ୍ଚାୟତ ଅନ୍ତର୍ଗତ ବାସୁଦେବପୁର ଗ୍ରାମର ବୋଲି ଜଣାପଡିବା ପରେ ସେହିଦିନ ସନ୍ଧ୍ୟାରେ ଜିଲ୍ଲାପାଳ ସୁଧାଂଶୁ ମୋହନ ସାମଲ ସଂକ୍ରମିତ ବ୍ୟକ୍ତି ବୁଲିଥିବା ବିଭିନ୍ନ ଅଞ୍ଚଳର ତଥ୍ୟ ସଂଗ୍ରହ କରି ତିଲେଇବଣୀ ବ୍ଲକ୍ କଲଣ୍ଡା ପଞ୍ଚାୟତର ବାସୁଦେବପୁର ଗ୍ରାମ ସମେତ ଝାଟିକିପଶି, ଖୁଣ୍ଟାପଶି, ସାମନ୍ତରାପାଲି, ନୂଆଗାଁ, କମଳାବଗିଚା ଓ ବଣିଆକିଲିଣ୍ଡା ପଞ୍ଚାୟତର ସୁନାମୁଣ୍ଡା ଗ୍ରାମକୁ କଣ୍ଟେନମେଣ୍ଟ ଅଞ୍ଚଳ ଭାବେ ଘୋଷଣା କରାଯାଇଥିଲା।
ତେବେ ଦୀର୍ଘ ୧୫ ଦିନ ପରେ ଆଜି ଜିଲ୍ଲା ପ୍ରଶାସନ ପକ୍ଷରୁ ସମ୍ପୃକ୍ତ ଅଞ୍ଚଳକୁ କଣ୍ଟେନମେଣ୍ଟ ଜୋନରୁ ମୁକ୍ତ କରିଥିବା ଘୋଷଣା କରିଥିଲେ। ତେବେ ସମ୍ପୃକ୍ତ ଗ୍ରାମ ଗୁଡିକରେ ସରଭିଲେନ୍ସ କାର୍ଯ୍ୟ ଜାରି ରହିବ ବୋଲି ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ବିଜୟ କୁମାର ମିଶ୍ର ସୂଚନା ଦେଇଛନ୍ତି।