ସେପ୍ଟେମ୍ବର ୧୯ରୁ ଅକ୍ଟୋବର ୧୦ ମଧ୍ୟରେ ଖେଳାଯାଇପାରେ ଆଇପିଏଲ୍‌-୧୪ର ଅବଶିଷ୍ଟ ମ୍ୟାଚ୍‌

ନୂଆଦିଲ୍ଲୀ,ଏଜେନ୍ସି: କରୋନା ସଂକ୍ରମଣ କାରଣରୁ ସ୍ଥଗିତ ରହିଥିବା ଆଇପିଏଲ୍‌ର ଚତୁର୍ଦ୍ଦଶ ସଂସ୍କରଣ ଚଳିତ ବର୍ଷ ଖେଳାଯିବ କି ନାହିଁ, ସେଥିନେଇ ନାନାଦି ଆଲୋଚନା ହେଉଥିବା ବେଳେ ଏହା ୟୁଏଇରେ ଖେଳାଯିବାର ସମ୍ଭାବନା ରହିଛି। ସଦ୍ୟ ସୂଚନାନୁସାରେ, ବିସିସିଆଇ ଆସନ୍ତା ସେପ୍ଟେମ୍ବରର ତୃତୀୟ ସପ୍ତାହରୁ ଆଇପିଏଲ୍‌ର ଅବଶିଷ୍ଟ ମ୍ୟାଚ୍‌ଗୁଡ଼ିକ ଆୟୋଜନ କରିବା ଉପରେ ପାଖାପାଖି ଚୂଡ଼ାନ୍ତ ନିଷ୍ପତ୍ତି ନେଇଛି।

ବିସିସିଆଇର ଜନୈକ ଅଧିକାରୀ ଏକ ଗଣମାଧ୍ୟମକୁ ଦେଇଥିବା ସୂଚନାନୁସାରେ, ଆସନ୍ତା ସେପ୍ଟେମ୍ବର ୧୯ରୁ ୟୁଏଇରେ ଏହି ଟୁର୍ଣ୍ଣାମେଣ୍ଟର ଅବଶିଷ୍ଟ ମ୍ୟାଚ୍ ଖେଳାଯିବ। ସଂସ୍କରଣର ମୁଣ୍ଡି ମାରିବା ସକାଶେ ୩ ସପ୍ତାହର ସମୟ ଧାର୍ଯ୍ୟ କରାଯାଇଥିବା ବେଳେ ଏହି ସମୟ ମଧ୍ୟରେ ୧୦ଟି ଡବଲ ହେଡର ଖେଳାଯିବ। ଆସନ୍ତା ଅକ୍ଟୋବର ୧୦ରେ ଫାଇନାଲ ମ୍ୟାଚ୍ ଖେଳାଯିବ ବୋଲି ମଧ୍ୟ କୁହାଯାଉଛି।

ଏକାଧିକ ଖେଳାଳି ଓ ସପୋର୍ଟ ଷ୍ଟାଫ୍ କରୋନା ଆକ୍ରାନ୍ତ ହେବା ପରେ ମେ’ ୪ ତାରିଖରେ ଏହି ଟୁର୍ଣ୍ଣାମେଣ୍ଟକୁ ସ୍ଥଗିତ ରଖିବାର ନିଷ୍ପତ୍ତି ନେଇଥିଲା ବିସିସିଆଇ। ଟୁର୍ଣ୍ଣାମେଣ୍ଟରେ ଆହୁରି ୩୧ଟି ମ୍ୟାଚ୍ ବାକି ରହିଥିବା ବେଳେ ୩ ସପ୍ତାହ ମଧ୍ୟରେ ସେଗୁଡ଼ିକୁ ଶେଷ କରାଯିବ। ସୂଚନା ମୁତାବକ ଆଇପିଏଲ୍ ସହ ଜଡ଼ିତ ଫ୍ରାଞ୍ଚାଇଜି, ପ୍ରସାରକଙ୍କ ସମେତ ସମସ୍ତ ପକ୍ଷଙ୍କ ସହ ଟୁର୍ଣ୍ଣାମେଣ୍ଟର ପୁନଃଆୟୋଜନ ନେଇ ବିସିସିଆଇ ପକ୍ଷରୁ ଆଲୋଚନା ହୋଇଛି। ଆଲୋଚନାରେ ଉପରୋକ୍ତ ୱିଣ୍ଡୋକୁ ସବୁଜ ସଙ୍କେତ ମିଳିବା ପରେ ଟୁର୍ଣ୍ଣାମେଣ୍ଟ ଆରମ୍ଭ ହେବା ଏକରକମ ଚୂଡ଼ାନ୍ତ ହୋଇଛି। ସେପ୍ଟେମ୍ବର ୧୫ରୁ ୨୦ ମଧ୍ୟରେ ଟୁର୍ଣ୍ଣାମେଣ୍ଟ ଆରମ୍ଭର ୱିଣ୍ଡୋ ରହିଥିବା ବେଳେ ସେପ୍ଟେମ୍ବର ୧୮ ଓ ୧୯ ଶନି ଓ ରବିବାର ପଡୁଥିବାରୁ ଉକ୍ତ ଦିନରେ ଟୁର୍ଣ୍ଣାମେଣ୍ଟ ଆରମ୍ଭ ଯୋଜନା ରହିଛି। ସମାନ ଭାବେ ଅକ୍ଟୋବର ୯ ଓ ୧୦ ସପ୍ତାହର ଶେଷ ୨ ଦିନ ରହିଥିବାରୁ ଏହି ଦିନରେ ଫାଇନାଲ୍ ଖେଳାଯିବର ସବୁଠାରୁ ଅଧିକ ସମ୍ଭାବନା ରହିଛି।
ଆସନ୍ତା ସେପ୍ଟେମ୍ବର ୧୪ରେ ଟିମ୍ ଇଣ୍ଡିଆର ଇଂଲଣ୍ଡ ଗସ୍ତ ଶେଷ ହେବ। ହନୁମା ବିହାରୀ ଓ ଅଭିମନ୍ୟୁ ଈଶ୍ୱରନ୍‌ଙ୍କୁ ବାଦ୍ ଦେଇ ଅନ୍ୟ ସମସ୍ତ ଖେଳାଳି ଆଇପିଏଲ୍ ପାଇଁ ଏକ ଚାର୍ଟର ବିମାନରେ ୟୁଏଇରେ ପହଞ୍ଚିବେ। ଗୋଟିଏ ବବଲରୁ ଆଉ ଏକ ବବଲକୁ ସ୍ଥାନାନ୍ତର ହେଉଥିବାରୁ ଖେଳାଳିମାନଙ୍କ ସକାଶେ ହାର୍ଡ କ୍ୱାରେଣ୍ଟାଇନ୍‌ର ଆବଶ୍ୟକତା ପଡ଼ିବ ନାହିଁ। ସେମାନେ ମାତ୍ର ୩ ଦିନ ପାଇଁ କ୍ୱାରେଣ୍ଟାଇନରେ ରହିବେ । ଭାରତୀୟ ଖେଳାଳିଙ୍କ ସହ ଇଂଲିଶ ଖେଳାଳିମାନେ ମଧ୍ୟ ଗୋଟିଏ ବିମାନରେ ୟୁଏଇରେ ପହଞ୍ଚିବେ।