ଭୁବନେଶ୍ୱର,ଏନ୍ଏନ୍ଏସ୍: ରାଜ୍ୟରେ କୋଭିଡ୍ ନିୟନ୍ତ୍ରଣ ଏବଂ କୋଭିଡ୍ ପରିଚାଳନାରେ ନିୟୋଜିତ ଥିବା କର୍ମଚାରୀଙ୍କୁ ସରକାର ସମ୍ମୁଖ ଯୋଦ୍ଧା ଘୋଷଣା କରିଛନ୍ତି। କର୍ତ୍ତବ୍ୟରତ ଅବସ୍ଥାରେ ସରକାରଙ୍କ ଦ୍ୱାରା ନିଯୁକ୍ତ କୌଣସି ସମ୍ମୁଖ ଯୋଦ୍ଧାଙ୍କ କୋଭିଡ୍ରେ ମୃତ୍ୟୁ ହେଲେ ସେମାନଙ୍କ ପରିବାରକୁ ୫୦ ଲକ୍ଷ ଟଙ୍କାର ସହାୟତା ରାଶି ମିଳିବାର ବ୍ୟବସ୍ଥା ହୋଇଛି। ଏବେ ଏହି ତାଲିକାରେ ରାଜ୍ୟ ସରକାରଙ୍କ ପକ୍ଷରୁ ଅଙ୍ଗନବାଡ଼ି କର୍ମୀ, ସୁପରଭାଇଜର ଏବଂ ସହାୟିକାଙ୍କୁ ସାମିଲ କରାଯାଇଛି।
ଉପରୋକ୍ତ ସରକାରୀ ନିଷ୍ପତ୍ତି ସଂପର୍କରେ ରାଜ୍ୟ ମହିଳା ଓ ଶିଶୁ ବିକାଶ ଏବଂ ମିଶନ ଶକ୍ତି ବିଭାଗ ଯୁଗ୍ମ ସଚିବ ନିତ୍ୟାନନ୍ଦ ବାରିକ ସବୁ ଜିଲ୍ଲାର ସମାଜ ମଙ୍ଗଳ ଅଧିକାରୀମାନଙ୍କୁ ଚିଠି ଜାରି କରି ଅବଗତ କରିଛନ୍ତି। କୋଭିଡ୍ର ପ୍ରଥମ ଲହର ବେଳେ ରାଜ୍ୟ ସରକାର ଅଙ୍ଗନବାଡ଼ି କର୍ମୀ ଏବଂ ସହାୟିକାଙ୍କ ପାଇଁ ଏହି ସହାୟତା ରାଶି ପ୍ରଦାନର ବ୍ୟବସ୍ଥା ରଖିଥିଲେ। ହେଲେ ଦ୍ୱିତୀୟ ଲହର ବେଳେ ପୁନଶ୍ଚ ସମ୍ମୁଖ ଯୋଦ୍ଧାଙ୍କ ପାଇଁ ସହାୟତା ରାଶି ନିୟମ ଲାଗୁ କରାଯାଇଥିଲେ ହେଁ ଅଙ୍ଗନବାଡ଼ି କର୍ମୀଙ୍କ ନାଁ ତାଲିକାରେ ସାମିଲ କରାନଯିବା ନେଇ ଦ୍ୱନ୍ଦ୍ୱ ଉପୁଜିଥିଲା। ମାତ୍ର, ଏବେ ଏହି ଦ୍ୱନ୍ଦ୍ୱର ପରିସମାପ୍ତି ଘଟିଛି। ଘରକୁ ଘର ବୁଲି କୋଭିଡ୍ ରୋଗୀଙ୍କ ସର୍ଭେ ତଥା ଟ୍ରାକିଂ, ଟ୍ରେସିଂ ଇଦ୍ୟାଦିରେ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ତୁଲାଉଥିବା ଅଙ୍ଗନବାଡ଼ି କର୍ମୀ ଏବଂ ସହାୟିକାଙ୍କ ନାଁ ତାଲିକାରେ ପୁଣି ସାମିଲ ହୋଇଛି।
ଏନେଇ ଆଉ କୌଣସି ଦ୍ୱନ୍ଦ୍ୱ ନ ରହୁ ଏବଂ ଏହି ସରକାରୀ ଘୋଷଣା ସମସ୍ତଙ୍କ ନଜରକୁ ତୁରନ୍ତ ଅଣାଯାଉ ବୋଲି ବିଭାଗୀୟ ଅଧିକାରୀ ଚିଠିରେ ଦର୍ଶାଇଛନ୍ତି। ସେହିଭଳି ଅଙ୍ଗନବାଡ଼ି କର୍ମୀଙ୍କୁ ଡୋର୍ ଟୁ ଡୋର୍ ସର୍ଭେ ପାଇଁ ମାସ୍କ, ସାନିଟାଇଜର୍, ଗ୍ଲୋଭ୍ସ, ଫେସ୍ ସିଲ୍ଡ ଇତ୍ୟାଦି ଯୋଗାଇ ଦେବାପାଇଁ ପୂର୍ବରୁ ପ୍ରତି ଜିଲ୍ଲାର ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ଏହି ବ୍ୟବସ୍ଥାକୁ ସୁନିଶ୍ଚିତ କରିବାକୁ ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀଙ୍କୁ କୁହାଯାଇଛି।