ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ଯୋଗାଉଛି ଦୈନିକ ୭୦୦ ଟନ୍ ଅକ୍ସିଜେନ୍

ନୂଆଦିଲ୍ଲୀ,ଏଜେନ୍ସି: ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ଲିମିଟେଡ୍ ପକ୍ଷରୁ ଜାମନଗର ରିଫାଇନାରୀରେ ଉତ୍ପାଦନ ପ୍ରକ୍ରିୟାରେ ପରିବର୍ତ୍ତନ ଆଣି ଦୈନିକ ୭୦୦ ମେଟ୍ରିକ୍ ଟନ୍ ମେଡିକାଲ୍ ମାନର ଅକ୍ସିଜେନ୍ (ଅମ୍ଳଜାନ) ଉତ୍ପାଦନ କରାଯିବା ସହ ତିନିଟି ରାଜ୍ୟ ଓ ଏକ କେନ୍ଦ୍ର ଶାସିତ ଅଞ୍ଚଳକୁ ବିନାମୂଲ୍ୟରେ ଯୋଗାଇ ଦିଆଯାଉଛି। ବିଗତ ଦୁଇ ଦିନ ଧରି ଦୈନିକ ଗୁଜରାଟ, ମହାରାଷ୍ଟ୍ର, ମଧ୍ୟପ୍ରଦେଶ ଏବଂ ଡାମନ୍ ଆଣ୍ଡ୍ ଡିଉ ଓ ଦାଦ୍ରା ଆଣ୍ଡ୍ ନଗର ହାଭେଲିକୁ ସେମାନଙ୍କ ସ୍ୱତନ୍ତ୍ର ଆବଶ୍ୟକତା ଅନୁସାରେ ୭୦୦ ଟନ୍ ଅକ୍ସିଜେନ୍କୁ ସ୍ୱତନ୍ତ୍ର ଟ୍ୟାଙ୍କର୍ ଜରିଆରେ ବିନା ମୂଲ୍ୟରେ ପରିବହନ କରାଯାଉଛି। ଦେଶରେ କୋଭିଡ୍-୧୯ ମାମଲରେ ଘଟିଥିବା ବୃଦ୍ଧି ଯୋଗୁଁ ଅକ୍ସିଜେନ୍ ଚାହିଦା ବୃଦ୍ଧି ପାଇବାରୁ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ଲିମିଟେଡ୍ ପକ୍ଷରୁ ଶିଳ୍ପ ପାଇଁ ବ୍ୟବହାର ହେବାକୁ ଥିବା ଅକ୍ସିଜେନ୍କୁ ନେଇ ମେଡିକାଲ୍ ମାନର ଅକ୍ସିଜେନ୍ ଉତ୍ପାଦନ କରିବା ଲାଗି ଉପକରଣ ସ୍ଥାପନ କରାଯିବା ସହ ବ୍ୟବସ୍ଥା ବିକଶିତ କରାଯାଇଛି। କମ୍ପାନୀ ଏହାର ମେଡିକାଲ୍ ଗ୍ରେଡ୍ ଅକ୍ସିଜେନ୍ ଉତ୍ପାଦନ କ୍ଷମତାକୁ ଦୈନିକ ୧୦୦୦ ଟନ୍କୁ ବୃଦ୍ଧି କରିବାକୁ ଯୋଜନା ରଖିଥିବା ଜଣାପଡିଛି।