ମହାରାଷ୍ଟ୍ର ଅଭିମୁଖେ ଗଡ଼ିଲା ପ୍ରଥମ ଅକ୍ସିଜେନ ଏକ୍ସପ୍ରେସ

ନୂଆଦିଲ୍ଲୀ,ଏଜେନ୍ସି: ଦେଶରେ କୋଭିଡ୍ ରୋଗୀଙ୍କ ପାଇଁ ଅମ୍ଳଜାନର ଅଭାବ ପରିଲକ୍ଷିତ ହେଉଥିବାବେଳେ ରେଳବାଇ ପକ୍ଷରୁ ଶୁକ୍ରବାର ପ୍ରଥମ ଅକ୍ସିଜେନ ଏକ୍ସପ୍ରେସ ଚଳାଚଳ ଆରମ୍ଭ ହୋଇଛି। ୭ଟି ଅକ୍ସିଜେନ ଟ୍ୟାଙ୍କରକୁ ନେଇ ଶୁକ୍ରବାର ଭୋର ସମୟରେ ପ୍ରଥମ ଅକ୍ସିଜେନ ଏକ୍ସପ୍ରେସ ବିଶାଖାପାଟଣାରୁ ମହାରାଷ୍ଟ୍ର ଅଭିମୁଖେ ଯାତ୍ରାରମ୍ଭ କରିଛି। ରେଳମନ୍ତ୍ରୀ ପୀୟୂଷ ଗୋୟଲ ଟ୍ୱିଟ୍ କରି ଏହା ଜଣାଇଛନ୍ତି। ନଭି ମୁମ୍ବାଇ ନିକଟସ୍ଥ କାଲାମ୍ବୋଲିରୁ ଖାଲିଥିବା ଏହି ଟ୍ୟାଙ୍କରଗୁଡିକ ବିଶାଖାପାଟଣାରେ ପହଞ୍ଚିବାପରେ ସେଥିରେ ଏଲଏମଓ (ଲିକ୍ୟୁଇଡ୍ ମେଡିକାଲ ଅକ୍ସିଜେନ) ଭର୍ତ୍ତି କରାଯାଇଥିଲା। ଆଗାମୀ ଦିନରେ ଏଭଳି ଏକାଧିକ ଅକ୍ସିଜେନ ଏକ୍ସପ୍ରେସ ଦେଶର ଅନ୍ୟାନ୍ୟ ସ୍ଥାନକୁ ଯାତ୍ରା କରିବ ବୋଲି ଗୋୟଲ ସୂଚନା ଦେଇଛନ୍ତି। ଏହି ଯୋଜନା ଅନୁଯାୟୀ ବିଶାଖାପାଟଣା, ଜାମଦେସପୁର, ରାଉରକେଲା ଓ ବୋକାରୋ ସହରରେ ଖାଲି ଟ୍ୟାଙ୍କରରେ ଏଲଏମ୍ଓ ଭର୍ତ୍ତି କରାଯିବାର ବନ୍ଦୋବସ୍ତ କରାଯାଇଛି। ବର୍ତ୍ତମାନ ମହାରାଷ୍ଟ୍ରରେ ଅମ୍ଳଜାନର ବ୍ୟାପକ ଅଭାବ ପରିଲକ୍ଷିତ ହେଉଥିବାବେଳେ ରେଳବାଇର ଏତାଦୃଶ ପଦକ୍ଷେପକୁ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକ୍ରେ ପ୍ରଶଂସା କରିଛନ୍ତି। ସୂଚନାଯୋଗ୍ୟ କୋଭିଡ୍ ସଂକ୍ରମଣ ସାଂଘାତିକ ରୂପ ଧାରଣ କରୁଥିବାବେଳେ ରେଳବାଇ ପକ୍ଷରୁ ଏକାଧିକ କାର୍ଯ୍ୟକ୍ରମ ହାତକୁ ନିଆଯାଇଛି। ଏକାଧିକ ଷ୍ଟେସନରେ ରେଳବଗିଗୁଡିକୁ କୋଭିଡ୍ ଶଯ୍ୟାରେ ପରିଣତ କରାଯାଇଥିବାବେଳେ ରେଳବାଇ ପକ୍ଷରୁ ବିଭିନ୍ନ ସ୍ଥାନକୁ ଅତ୍ୟାବଶ୍ୟକ ସାମଗ୍ରୀ ପରିବହନ ମଧ୍ୟ କରାଯାଉଛି। ସଂକ୍ରମଣ ଆଶଙ୍କା ସତ୍ତେ୍ୱ ଲକ୍ଷାଧିକ ପ୍ରବାସୀ ଶ୍ରମିକ ଟ୍ରେନ ଯୋଗେ ବିଭିନ୍ନ ପ୍ରାନ୍ତରୁ ଘରକୁ ଫେରୁଥିବା ଲକ୍ଷ୍ୟ କରାଯାଉଛି।