ପୁଣି ରାଜ୍ୟ ସରକାରଙ୍କୁ ଟାର୍ଗେଟ କଲେ ଲେଖାଶ୍ରୀ

ଭୁବନେଶ୍ୱର, ଏନ୍ଏନ୍ଏସ୍: ଦୀନଦୟାଲ ଉପାଧ୍ୟାୟ ଗ୍ରାମୀଣ କୌଶଳ ଯୋଜନାରେ ଓଡ଼ିଶାର ଯୁବକ ଯୁବତୀଙ୍କୁ ନିଯୁକ୍ତି ପ୍ରଦାନ ନାଁରେ ପ୍ରାୟ ୫୬୮ କୋଟି ଟଙ୍କାର ଘୋଟାଲା ହୋଇଛି। ଏହି ତଥ୍ୟ ନିକଟରେ ପ୍ରକାଶିତ ସିଏଜି ରିପୋର୍ଟରେ ପଦାକୁ ଆସିଥିଲା। ଆଜି ଏହି ପ୍ରସଙ୍ଗକୁ ପୁଣିଥରେ ଉତ୍ଥାପିତ କରି ରାଜ୍ୟ ସରକାରଙ୍କୁ ଟାର୍ଗେଟ୍ କରିଛି ବିଜେପି। ଏହି ଅର୍ଥ ଘୋଟାଲା ପାଇଁ ରାଜ୍ୟ ପଞ୍ଚାୟତିରାଜ ମନ୍ତ୍ରୀ ପ୍ରତାପ ଜେନା, ବିଭାଗୀୟ ପ୍ରମୁଖ ସଚିବ ଦେଓରଞ୍ଜନ ସିଂ ଏବଂ ଓରମାସ ନିର୍ଦ୍ଦେଶକ ବିଏନ୍ ଦାସଙ୍କ ଉପରେ ଦୋଷ ଲଦିଛନ୍ତି ରାଜ୍ୟ ବିଜେପି ସାଧାରଣ ସଂପାଦିକା ଡ. ଲେଖାଶ୍ରୀ ସାମନ୍ତସିଂହାର।

ଲେଖାଶ୍ରୀ ଅଭିଯୋଗ କରିଛନ୍ତି ଯେ ପଞ୍ଚାୟତିରାଜ ବିଭାଗ ସହାୟତାରରେ ରାଜ୍ୟ ସରକାର ଓ ଅମଲାମାନେ ମିଶିକରି କେନ୍ଦ୍ର ସରକାର ଦେଇଥିବା ଏହି ଅର୍ଥକୁ ହରିଲୁଟ୍ କରିଛନ୍ତି ଏବଂ ଓଡ଼ିଶାର ଯୁବକ ଯୁବତୀଙ୍କୁ ରୋଜଗାରରୁ ବଞ୍ଚିତ କରିଛନ୍ତି। ପଞ୍ଚାୟତିରାଜ ସଚିବ ଶ୍ରୀ ସିଂ ୯ ବର୍ଷରୁ ଉଦ୍ଧ୍ୱର୍ ସମୟ ଧରି ସମାନ ପଦବୀରେ ଅଛନ୍ତି। ସେହିଭଳି ୨୧ ବର୍ଷ ଧରି ଓରମାସ୍ର ମୁଖ୍ୟଭାବେ ଶ୍ରୀ ଦାସ କାର୍ଯ୍ୟ କରିଆସୁଛନ୍ତି। କ’ଣପାଇଁ ସେମାନଙ୍କୁ ଅନ୍ୟ ଅଧିକାରୀଙ୍କ ଭଳି ଅନ୍ୟତ୍ର ବଦଳି କରାଯାଉନାହିଁ ବୋଲି ଲେଖାଶ୍ରୀ ପ୍ରଶ୍ନ କରିଛନ୍ତି। ସେ ଯୁକ୍ତି ରଖିଛନ୍ତି ଯେ ୫ ବର୍ଷରେ ୧,୩୧,୮୫୪ ଯୁବକ ଯୁବତୀଙ୍କୁ ତାଲିମ ଦିଆଯାଇଛି ଏବଂ ୯୭,୧୯୮ ଜଣଙ୍କୁ ନିଯୁକ୍ତ ପ୍ରଦାନ କରାଯାଇଥିବା ରାଜ୍ୟ ସରକାର ଜଣାଇଛନ୍ତି। ହେଲେ ଏହି ତଥ୍ୟ ୭୭ ପ୍ରତିଶତ ମିଥ୍ୟା। କାହାକୁ ସେମିତି ନିଯୁକ୍ତି ମିଳିନାହିଁ। ଏପରିକି ଓରମାସ୍ ସହାୟତାରେ ଯୋଗ୍ୟତା ନଥିବା ବିଭିନ୍ନ ସଂସ୍ଥାକୁ ମୋଟ ୧୯୭.୦୫ କୋଟି ଟଙ୍କାର ପ୍ରକଳ୍ପ କାମ ପ୍ରଦାନ କରାଯାଇଛି। ଏସବୁ ତଥ୍ୟ ରାଜ୍ୟ ସରକାରଙ୍କ ଅପାରଗତାକୁ ପଦାରେ ପକାଇଛି ବୋଲି ଲେଖାଶ୍ରୀ କହିଛନ୍ତି।

ଏକ ଘରୋଇ କମ୍ପାନୀ ଅର୍ଥରେ ପଞ୍ଚାୟତିରାଜ ସଚିବ ଦେଓରଞ୍ଜନ ସିଂ, କୌଶଳ ବିକାଶ ସଚିବ ସଞ୍ଜୟ ସିଂ ଏବଂ ଓରମାସ୍ ନିର୍ଦ୍ଦେଶକ ଅଷ୍ଟ୍ରେଲିଆ ବୁଲି ଫେରିଲେ ଏବଂ ପରେ ସେହି କମ୍ପାନୀକୁ ଅନୁକମ୍ପା କରି ସବୁ ନିୟମ ବାହାରେ ୨୦ କୋଟି ଟଙ୍କାର ପ୍ରକଳ୍ପ ଧରାଇଦେଲେ। ତେବେ ଚୁକ୍ତି ମୁତାବକ ସଂସ୍ଥାଟି ୧୦୦୦ ଯୁବକ ଯୁବତୀଙ୍କୁ ତାମିଲ ଦେଇନାହିଁ କିମ୍ବା କାହାକୁ ବିଦେଶରେ ନିଯୁକ୍ତି ଦେଇନାହିଁ ବୋଲି ଲେଖାଶ୍ରୀ ଅଭିଯୋଗ କରିଛନ୍ତି। ସେ ଏହି ୩ ଅଧିକାରୀଙ୍କ ବିରୋଧରେ ସିବିଆଇ କାର୍ଯ୍ୟାନୁଷ୍ଠାନ ଏବଂ ନିଲମ୍ବନ ଦାବି କରିଛନ୍ତି।