ଖାରଜ ହେଲା ସମସ୍ତଙ୍କ ନିର୍ଭୟା ଦୋଷୀଙ୍କ ଆବେଦନ, ୨୪ ଘଣ୍ଟା ମଧ୍ୟରେ ଆସିବ ନୂତନ ଫାଶୀ ତାରିଖ

ନୂଆଦିଲ୍ଲୀ,ଏଜେନ୍ସି: ଆସନ୍ତାକାଲି ଅର୍ଥାତ୍‌ ମାର୍ଚ୍ଚ ୫ ତାରିଖରେ ନିର୍ଭୟା ଦୋଷୀଙ୍କ ମାମଲାର ଫାଶୀ ତାରିଖ ନେଇ ଶୁଣାଣି ହେବ । ଦିଲ୍ଲୀର ପଟିଆଲା ହାଉସ୍‌ କୋର୍ଟରେ ବୁଧବାର ତିହାଡ଼ ପ୍ରଶାସନ ପକ୍ଷରୁ ନୂଆ ଡେଥ୍‌ ଓ୍ୱାରେଣ୍ଟ ଜାରି କରିବା ନେଇ ଆବେଦନର ଶୁଣାଣି କରାଯାଇଛି । ଗୁରୁବାର ଅପରାହ୍ନ ଦୁଇଟାରେ ଯେଉଁ ଡେଥ୍‌ ଓ୍ୱାରେଣ୍ଟ ପ୍ରକାଶ ପାଇବ ତାହା ଶେଷ ଡେଥ୍‌ ଓ୍ୱାରେଣ୍ଟ ହେବ ବୋଲି କୁହାଯାଉଛି । କାରଣ ଦୋଷୀଙ୍କର ସବୁ ରାସ୍ତା ଏବେ ବନ୍ଦ ହୋଇଯାଇଛି ।

ଏହା ପୂର୍ବରୁ ଆଜି ନିର୍ଭୟା ଦୋଷୀ ପଓ୍ୱନର ରାଜକ୍ଷମା ଆବେଦନକୁ ଖାରଜ କରିଦେଇଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ । ସୋମବାର ପଓ୍ୱନର କ୍ୟରେଟିଭ୍‌ ପିଟିସନ୍‌ ମଧ୍ୟ ସୁପ୍ରିମ୍‌କୋର୍ଟରେ ଖାରଜ ହୋଇସାରିଛି । ଏହାସହ ୪ ଦୋଷୀଙ୍କ ଅପିଲ, ପୁନଃ ବିଚାର ଆବେଦନ, କ୍ୟୁରେଟିଭ୍‌ ପିଟିସନ୍‌ ଓ ରାଜକ୍ଷମା ଆବେଦନର ଶୁଣାଣି ସରି ତାକୁ ଖାରଜ ମଧ୍ୟ କରାଯାଇଛି । ଏହା ଅର୍ଥ ଦୋଷୀଙ୍କ ସବୁ ରାସ୍ତା ଏବେ ବନ୍ଦ ହୋଇଯାଇଛି ।

ନିର୍ଭୟାଙ୍କ ଓକିଲ ମଧ୍ୟ କହିଛନ୍ତି ଏବେ ଦୋଷୀଙ୍କ ସବୁ ବାଟ ବନ୍ଦ ହୋଇଯାଇଛି । ଏଥର ଯେଉଁ ତାରିଖ ଘୋଷଣା କରାଯିବ ସେହି ତାରିଖ, ଦୋଷୀଙ୍କ ଫାଶୀ ପାଇଁ ଶେଷ ତାରିଖ ହେବ ।

ତେବେ ପୂର୍ବରୁ ମାର୍ଚ୍ଚ ୩ରେ ହେବାକୁ ଥିବା ଫାଶୀ ଉପରେ ସ୍ଥଗିତାଦେଶ ଲଗାଇଥିଲେ ଦିଲ୍ଲୀ ପଟିଆଲା ହାଉସକୋର୍ଟ । ତେଣୁ ଚାରି ଦୋଷୀଙ୍କୁ ଫାଶି ଦିଆଯାଇ ନଥିଲା । ଜାନୁଆରି ୨୨, ପେବୃଆରୀ ୧ ଓ ମାର୍ଚ୍ଚ ୩ ରେ ଫାଶୀ ଦିଆଯିବ ବୋଲି ପୂର୍ବରୁ ୩ ଥର ରାୟ ପ୍ରକାଶ ପାଇଥିଲା । ହେଲେ ଏବେ ସୁଦ୍ଧା ଦୋଷୀଙ୍କୁ ଫାଶୀ ଦିଆଯାଇ ପାରି ନାହିଁ । ଆଇନ ଅନୁସାରେ ଯଦି ଜଷ୍ଟିସ୍ ନୂତନ ଡେଥ୍ ୱାରେଣ୍ଟି ଜାରି କରନ୍ତି ତେବେ ୧୪ ଦିନ ପରେ ଫାଶୀ ହେବ ।