ନୂଆଦିଲ୍ଲୀ: ସେନାରେ ଭର୍ତ୍ତି ଲାଗି ପ୍ରସ୍ତୁତ ହୋଇଥିବା ‘ଅଗ୍ନିପଥ’ ଯୋଜନାକୁ ଅନେକ ରାଜ୍ୟରେ ବିରୋଧ କରାଯାଉଥିଲେ ହେଁ ଭାରତୀୟ ବାୟୁସେନାରେ ଭର୍ତ୍ତି ପ୍ରକ୍ରିୟା ଆରମ୍ଭ ହୋଇଯାଇଛି । ସକାଳ ୧୦ଟାରୁ ସଂଧ୍ୟା ୫ଟା ୩୦ ପର୍ଯ୍ୟନ୍ତ ପାଖାପାଖି ୩,୮୦୦ଜଣ ଆଜି ବାୟୁସେନାର ୱେବସାଇଟରେ ଅଗ୍ନିବୀରବାୟୁ ପାଇଁ ପଞ୍ଜିକରଣ କରିଛନ୍ତି। ଏହି ପଞ୍ଜିକରଣ ପ୍ରକ୍ରିୟା ଜୁଲାଇ ୫ ତାରିଖ ପର୍ଯ୍ୟନ୍ତ ଜାରି ରହିବ ବୋଲି ସୂଚନା ମିଳିଛି ।
ସୂଚନାଯୋଗ୍ୟ, ପ୍ରତିରକ୍ଷା ମନ୍ତ୍ରଣାଳୟ ଜୁନ୍ ୧୪ରେ ଅଗ୍ନିପଥ ଯୋଜନା ସମ୍ବନ୍ଧରେ ଘୋଷଣା କରିଥିଲେ । ଏହି ଯୋଜନା ଅନ୍ତର୍ଗତ ସାଢ଼େ ୧୭ ବର୍ଷରୁ ୨୧ ବର୍ଷର ଯୁବକଙ୍କୁ ୪ ବର୍ଷ ପାଇଁ ସେନାରେ ଭର୍ତ୍ତି କରାଯିବ । ସେଥିମଧ୍ୟରୁ ୨୫ ପ୍ରତିଶତଙ୍କୁ ନିୟମିତ ଭାବେ ସେବା ଯୋଗାଇବା ପାଇଁ ନିଯୁକ୍ତି ମିଳିବ । ଏହି ଯୋଜନାକୁ କେନ୍ଦ୍ର କରି ପରେ ଦେଶର ଅନେକ ସ୍ଥାନରେ ବିରୋଧ ପ୍ରଦର୍ଶନ ଆରମ୍ଭ ହୋଇଥିଲା ।