ରୋମ,ଏଜେନ୍ସି: ରୋମରେ ଜାତିସଂଘ ଦ୍ବାରା ଅନୁଷ୍ଠିତ ଓ୍ବାର୍ଲ୍ଡ ଫୁଡ୍ ପ୍ରୋଗ୍ରାମ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯୋଗ ଦେଇ ଓଡ଼ିଶାର ସଫଳତାର କାହାଣୀ କହିଛନ୍ତି। ଏଥିସହିତ ଏହାକୁ ବିଶ୍ୱବ୍ୟାପୀ ରୋଲ ମଡେଲ୍ କରିବାକୁ ନିଷ୍ପତ୍ତି ହୋଇଛି। ଜାତିସଂଘର ବିଶ୍ୱ ଖାଦ୍ୟ କାର୍ଯ୍ୟକ୍ରମ ମୁଖ୍ୟାଳୟରେ ଓଡିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବଞ୍ଚିତ ସମ୍ପ୍ରଦାୟ ତଥା ମହିଳାଙ୍କ ଉପରେ ଏକ ନିର୍ଦ୍ଦିଷ୍ଟ ଧ୍ୟାନ ଦେଇ ଜୀବିକା ନିର୍ବାହ ତଥା ଖାଦ୍ୟ ନିରାପତ୍ତା ଉପରେ ରାଜ୍ୟର ପରିବର୍ତ୍ତନଶୀଳ ଅଗ୍ରଗତି ବାଣ୍ଟିଛନ୍ତି। ଜିରୋ ହଙ୍ଗର ସାଧାରଣ ଏଜେଣ୍ଡା ପ୍ରଦାନ କରିବାକୁ ଓଡିଶା ସରକାର ଏବଂ ଭାରତରେ ଡବ୍ଲୁଏଚ୍ପି ସହଯୋଗ କରୁଛନ୍ତି।
“ଗତ ଦୁଇ ଦଶନ୍ଧି ମଧ୍ୟରେ ଖାଦ୍ୟ ଉତ୍ପାଦନ, ଖାଦ୍ୟ ନିରାପତ୍ତା, ଜୀବିକା ନିର୍ବାହ, ବିପର୍ଯ୍ୟୟ ପରିଚାଳନା ଇତ୍ୟାଦି କ୍ଷେତ୍ରରେ ଓଡିଶା ଏକ ପରିବର୍ତ୍ତନଶୀଳ ଯାତ୍ରା ଦେଇ ଗତି କରିଛି। ଖାଦ୍ୟ ପର୍ଯ୍ୟପ୍ତତା ହାସଲ କରିବା, ଜଳବାୟୁ ସ୍ଥିର ଜୀବିକା ଏବଂ ପୁଷ୍ଟିକର ଖାଦ୍ୟ ସୃଷ୍ଟି ପାଇଁ ପରିକଳ୍ପିତ ବୃହତ-ବଡ଼ ବିକାଶମୂଳକ କାର୍ଯ୍ୟକ୍ରମ ଆରମ୍ଭ କରିବା ସହ ସହଭାଗୀତା ଉପରେ ଧ୍ୟାନ ଦେଇ ରାଜ୍ୟ ନିରନ୍ତର ବିକାଶ ଲକ୍ଷ୍ୟ ତଥା ଅନ୍ତର୍ଭୂକ୍ତ ବିକାଶ ଦିଗରେ କ୍ରମାଗତ ଭାବରେ ଗତି କରୁଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।

ବିଭିନ୍ନ କ୍ଷେତ୍ରରେ ଡବ୍ଲ୍ୟୁଏଫପି ସହ ସହଭାଗିତା ପାଇଁ ମୁଖ୍ୟମନ୍ତ୍ରୀ କୃତଜ୍ଞତା ଜଣାଇଛନ୍ତି ଯାହା କେବଳ ରାଜ୍ୟରେ ପ୍ରଭାବଶାଳୀ ନୁହେଁ ବରଂ ଜାତୀୟ ସ୍ତରରେ ମଧ୍ୟ ବୃଦ୍ଧି ପାଇଛି। ବିଗତ ଦୁଇ ଦଶନ୍ଧିଧରି ଓଡ଼ିଶାରେ ହୋଇଥିବା ପ୍ରାକୃତିକ ବିପର୍ଯ୍ୟୟ, ଖାଦ୍ୟ ସୁରକ୍ଷା ଓ ଖାଦ୍ୟ ଉତ୍ପାଦନରେ ରୂପାନ୍ତରଣକୁ ଡବ୍ଲ୍ୟୁଏଫ୍ପି ଭୂୟସୀ ପ୍ରଶଂସା କରିବା ସହ ଓଡ଼ିଶା ଭଳି ସ୍ଥିତିରେ ଥିବା ଅନ୍ୟ ରାଷ୍ଟ୍ରଙ୍କ ପାଇଁ ଏହା ଖୁବ ଉପାଦେୟ ବୋଲି ଓ୍ବାର୍ଲ୍ଡ ଫୁଡ ପ୍ରୋଗ୍ରାମର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଡେଭିଡ ବିସଲେ କହିଛନ୍ତି। ଗତ ୨୨ବର୍ଷରେ ଓଡ଼ିଶାରେ ଅନେକ କ୍ଷେତ୍ରରେ ବ୍ୟାପକ ପରିବର୍ତ୍ତନ ହୋଇଛି।

