୮୦୦ ଟଙ୍କା କିଲୋରେ ବିକ୍ରି ହେଉଛି ସ୍ୱତନ୍ତ୍ର ଭେଣ୍ଡି

ଭୋପାଳ,ଏଜେନ୍ସି: ମଧ୍ୟପ୍ରଦେଶର ଭୋପାଳ ଜିଲ୍ଲା ଅନ୍ତର୍ଗତ ଖଜୁରି କାଲାନ ଗ୍ରାମରେ ଜଣେ ଚାଷୀ ଏକ ସ୍ୱତନ୍ତ୍ର ପ୍ରଜାତିର ଭେଣ୍ଡି ଚାଷ କରିଥିବାବେଳେ ବର୍ତ୍ତମାନ ଏହା କିଲୋ ପିଛା ୮୦୦ ଟଙ୍କାରେ ବିକ୍ରି କରାଯାଉଥିବା ଜଣାପଡିଛି। ସାଧାରଣ ଭେଣ୍ଡିର ରଙ୍ଗ ସବୁଜ ହୋଇଥିବାବେଳେ ଏହି ସ୍ୱତନ୍ତ୍ର ପ୍ରଜାତି ଭେଣ୍ଡିର ରଙ୍ଗ ଇଷତ୍ ଲାଲ। ଭେଣ୍ଡିରେ ଭିଟାମିନ ‘ଏ’ ଓ ‘ସି’ ଥିବାବେଳେ ଏହି ସ୍ୱତନ୍ତ୍ର ପ୍ରକାର ଭେଣ୍ଡି ଅଧିକ ସ୍ୱାସ୍ଥ୍ୟୋପଯୋଗୀ ବୋଲି ଏହାକୁ ଚାଷ କରିଥିବା ମିଶ୍ରିଲାଲ ରାଜପୁତ କହିଛନ୍ତି। ଉଚ୍ଚ ରକ୍ତଚାପ, ମଧୁମେହ, ଉଚ୍ଚ କଲୋଷ୍ଟ୍ରଲ ଓ ହୃଦ୍ରୋଗୀଙ୍କ ପାଇଁ ଏଭଳି ପ୍ରଜାତିର ଭେଣ୍ଡି ଅଧିକ ଉପକାରୀ ବୋଲି ରାଜପୁତ ଦାବି କରିଛନ୍ତି। ଏଭଳି ଭେଣ୍ଡି ଚାଷରେ ସେ କୌଣସି ପ୍ରକାର କୀଟନାଶକ ବ୍ୟବହାର କରିନଥିବା କହିଛନ୍ତି।