ଗୁଆହାଟୀରୁ ଏବେ ଫେରିବେନି ମହାରାଷ୍ଟ୍ରର ବିଦ୍ରୋହୀ ବିଧାୟକ, ବଢ଼ିଲା ହୋଟେଲ ବୁକିଂ ତାରିଖ

ଗୁଆହାଟୀ,ଏଜେନ୍ସି: ମହାରାଷ୍ଟ୍ରର ବିଦ୍ରୋହୀ ବିଧାୟକମାନେ ଗତ ବୁଧବାର ଠାରୁ ଆସାମର ଗୁଆହାଟୀସ୍ଥିତ ଏକ ହୋଟେଲରେ ରହୁଛନ୍ତି। ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କ ସହିତ ବିବାଦ ହେବା ପରେ ଶିବସେନାର ୩୩ ଜଣ ବିଧାୟକ ଓ କିଛି ସ୍ୱାଧୀନ ବିଧାୟକ ଗତ ୨୨ ତାରିଖ ଠାରୁ ବିଳାସପୂର୍ଣ୍ଣ ଏକ ହୋଟେଲ ଭିତରେ କଡ଼ାସୁରକ୍ଷା ମଧ୍ୟରେ ରହୁଛନ୍ତି। ବିଧାୟକମାନେ ରହିବା ପାଇଁ ପୂର୍ବରୁ ଜୁନ୍ ୨୮ ତାରିଖ ଯାଏଁ ହୋଟେଲ ବୁକିଂ କରାଯାଇଥିଲା। ଏବେ ଏହାକୁ ଆଉ ଦିନ ପାଇଁ ଅର୍ଥାତ ଜୁନ୍ ୩୦ ତାରିଖ ଯାଏଁ ବଢ଼ାଇ ଦିଆଯାଇଛି।

ସୂଚନାଯୋଗ୍ୟ, ଶିବସେନାର ବରିଷ୍ଠ ନେତା ଓ ମନ୍ତ୍ରୀ ଏକନାଥ ଶିନ୍ଦେ ବିଦ୍ରୋହୀ ହେବା କାରଣରୁ ସରକାରଙ୍କୁ ସଂକଟ ପଡ଼ିଛି। ଶିନ୍ଦେଙ୍କୁ ଏବେ ମୋଟ ୪୬ ଜଣ ଶିବସେନା ଓ ସ୍ୱାଧୀନ ବିଧାୟକ ସମର୍ଥନ କରୁଛନ୍ତି, ଯେଉଁମାନେ କି ଏବେ ଗୁଆହାଟୀସ୍ଥିତ ଏକ ବିଳାସପୂର୍ଣ୍ଣ ହୋଟେଲ ‘ରେଡିସନ ବ୍ଲୁ’ରେ ରହୁଛନ୍ତି।

ଜାତୀୟ ଗଣମାଧ୍ୟମର ରିପୋର୍ଟ ଅନୁସାରେ ହୋଟେଲର ୭୦ଟି କଠୋରୀ ୭ ଦିନ ପାଇଁ ବୁକ କରାଯାଇଥିଲା। ଏକନାଥ ଶିନ୍ଦେ ଓ ଅନ୍ୟ ବିଦ୍ରୋହୀ ବିଧାୟକ ଗୁଜରାଟର ସୁରତରୁ ଗୁଆହାଟୀ ପହଞ୍ଚି ଥିଲେ। ବିମାନବନ୍ଦରରେ ପହଞ୍ଚିବା ପରେ ସମସ୍ତେ ହୋଟେଲକୁ ଯାଇଥିଲେ। ରେଡିସନ ବ୍ଲ ହୋଟେଲରେ ୭ଦିନର କୋଠରି ବୁକ ପାଇଁ ୫୬ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଛି। ଏହା ବ୍ୟତୀତ ଖାଇବା ଓ ଅନ୍ୟ ସେବା ପାଇଁ ଦୈନିକ ଖର୍ଚ୍ଚ ରହିଛି ୮ ଲକ୍ଷ ଟଙ୍କା । ହୋଟେଲରେ ୧୯୬ଟି କୋଠରି ରହିଛି। ବିଧାୟକଙ୍କ ପାଇଁ ୭୦ କୋଠରି ବୁକ ହୋଇଛି। ବିଧାୟକଙ୍କ ବିମାନ ଖର୍ଚ୍ଚ ୫୦ ଲକ୍ଷରୁ ଅଧିକ ଟଙ୍କା ହୋଇଥିଲା। ଏହା ବ୍ୟତୀତ ଅନ୍ୟ ପରିବହନ ଓ ଅତିରିକ୍ତ ଖର୍ଚ୍ଚ ମଧ୍ୟ ରହିଛି।