ଉପନିର୍ବାଚନ: ଆଜି ରାମପୁର ସମେତ ଆସିବ ୩ ଲୋକସଭା ଓ ୭ ବିଧାନସଭା ଆସନର ଫଳାଫଳ

ନୂଆଦିଲ୍ଲୀ,ଏଜେନ୍ସି: ଗତ ୨୩ ତାରିଖରେ ୩ଟି ଲୋକସଭା ଓ ୭ଟି ବିଧାନସଭା ଆସନ ପାଇଁ ହୋଇଥିବା ଭୋଟଗ୍ରହଣର ଫଳାଫଳ ଆଜି ସନ୍ଧ୍ୟା ସୁଦ୍ଧା ସ୍ପଷ୍ଟ ହୋଇଯିବ। ଉତ୍ତର ପ୍ରଦେଶର ରାମପୁର ଓ ଆଜମଗଡ଼ ଏବଂ ପଂଜାବର ସଂଗରୁର ଲୋକସଭା ଆସନ କାହାର ଦଖଲରେ ରହିବା, ତାହା ସ୍ପଷ୍ଟ ହୋଇଯିବ। ଏଥି ପାଇଁ ସକାଳ ୮ଟାରୁ ଭୋଟ ଗଣତି ହେଉଥିବା ବେଳେ ସନ୍ଧ୍ୟା ସୁଦ୍ଧା ଏହା ଶେଷ କରାଯିବାକୁ ଲକ୍ଷ୍ୟ ରଖାଯାଇଛି। ଭୋଟ ଗଣତି ପାଇଁ ସୁରକ୍ଷା ବ୍ୟବସ୍ଥା ଉପରେ ନଜର ରଖାଯାଇଛି। ସେହିପରି ଦିଲ୍ଲୀ, ଝାଡ଼ଖଣ୍ଡ, ଆନ୍ଧ୍ରପ୍ରଦେଶ ଓ ତ୍ରିପୁରାର ୭ଟି ବିଧାନସଭା ଆସନରେ ହୋଇଥିବା ଉପନିର୍ବାଚନର ଫଳାଫଳ ମଧ୍ୟ ଆଜି ବାହାରିବ।

ଗତ ୨୩ ତାରିଖରେ ଉତ୍ତରପ୍ରଦେଶର ଆଜମଗଡ଼ ଓ ରାମପୁର ଉପନିର୍ବାଚନରେ ମତଦାତା ଭୋଟ ଦେଇଥିଲେ। ରାମପୁରରେ ୬ ଜଣ ଓ ଆଜମଗଡ଼ ଲୋକସଭା ଆସନ ପାଇଁ ୧୩ ଜଣ ପ୍ରାର୍ଥୀ ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱୀତା କରୁଛନ୍ତି। ଉଭୟ ଲୋକସଭା ଆସନରେ ମୋଟ ୪୨୩୪ଟି ମତଦାନ କେନ୍ଦ୍ରରେ ଭୋଟ ଗ୍ରହଣ କରାଯାଇଛି।

ତ୍ରିପୁରାରେ ସର୍ବାଧିକ ୪ଟି ବିଧାନସଭା ଆସନରେ ଭୋଟ ଗ୍ରହଣ କରାଯାଇଛି। ଏଥିରେ ଅଗରତଲା, ଜୁବାରାଜଗର, ସୁରମା ଓ ବରଦୋୱାଲା (ଟାଉନ) ସାମିଲ ଅଛି। ଆନ୍ଧ୍ର ପ୍ରଦେଶର ଆତ୍ମାକୁର, ଝାଡ଼ଖଣ୍ଡର ମାଣ୍ଡର ଓ ଦିଲ୍ଲୀର ରାଜେନ୍ଦ୍ରନଗର ବିଧାନସଭା ଆସନ ପାଇଁ ହୋଇଥିବା ଭୋଟ ଗ୍ରହଣର ଫଳାଫଳ ମଧ୍ୟ ଆଜି ପ୍ରକାଶ ପାଇବ।