ପୋଙ୍ଗୋଙ୍ଗ୍‌ ହ୍ରଦ ଉପରେ ବ୍ରିଜ ନିର୍ମାଣ କରୁଛି ଚୀନ, ଏଲଏସିକୁ ଟାର୍ଗେଟ!

ନୂଆଦିଲ୍ଲୀ,ଏଜେନ୍ସି: ବିଗତ ୨ ବର୍ଷ ମଧ୍ୟରେ ବିଭିନ୍ନ ପର୍ଯ୍ୟାୟରେ ଆଲୋଚନା ଓ ଲଦ୍ଦାଖରେ କଡ଼ାଜବାବ ଦେବା ପରେ ମଧ୍ୟ ଚୀନ ନିଜର କୁକର୍ମରୁ ଦୂରେଇ ରହୁନାହିଁ। ସଦ୍ୟତମ ସାଟଲାଇଟ୍‌ ଫଟୋରୁ ଏହା ଜଣାପଡ଼ିଛି। ଲଦ୍ଦାଖରେ ପୋଙ୍ଗୋଙ୍ଗ ହ୍ରଦ ଉପରେ ଚୀନ ବ୍ରିଜ୍‌ ନିର୍ମାଣ କରୁଛି, ଯାହାରି ମାଧ୍ୟମରେ ଚୀନ ପୁଣି ଥରେ ବାସ୍ତବିକ ନିୟନ୍ତ୍ରଣ ରେଖା (ଏଲଏସି) ଉପରେ ଆକ୍ରମଣ କରିବାକୁ ଯୋଜନା କରୁଛି।

ଭାରତ ଓ ଚୀନ ମଧ୍ୟରେ ଦୀର୍ଘ ଦିନରୁ ଉତ୍ତେଜନା ଜାରି ରହିଛି। ଭାରତ ଉପରେ ପ୍ରତିଶୋଧ ନେବା ପାଇଁ ଚୀନ ଏକ ନୂଆ ବ୍ରିଜ ନିର୍ମାଣ କରିସାରିଛି। ଏହି ବ୍ରିଜ ନିର୍ମାଣ କରିବାରେ ଚୀନର କିଛି ବଡ଼ ଉଦ୍ଦେଶ୍ୟ ରହିଛି। ଯେଉଁ ଫଟୋ ସାମ୍ନାକୁ ଆସିଛି, ଏହା କୌଣସି ସାଧାରଣ ସାଟେଲାଇଟ୍‌ର ଫଟୋ ନୁହେଁ। ଲଦ୍ଦାଖରେ ଚୀନର ଚକ୍ରାନ୍ତ ବ୍ଲାକ ଆଣ୍ଡ ହ୍ବାଇଟ୍‌ ପ୍ରମାଣ।

ପୋଙ୍ଗୋଙ୍ଗ୍‌ ଉପରେ ଚୀନ ଏକ ବ୍ରିଜ ବେଆଇନ ଭାବେ ନିର୍ମାଣ କରୁଛି। ଏହି ବିଜ ୮ ମିଟର ଓସାର ଓ ୩୧୫ ମିଟର ଲମ୍ବ। ଗତ ୧୬ ତାରିଖରେ ସାଟେଲାଇଟ ଫଟୋରୁ ଜଣାପଡ଼ିଛି ଯେ, ବ୍ରିଜ୍‌ ନିର୍ମାଣରେ ଲାଗିଥିବା ଚୀନ ଶ୍ରମିକ ଓ ଇଞ୍ଜିନିୟର ମାନେ ଏକ କ୍ରେନ୍‌ ସାହାଯ୍ୟରେ କଂକ୍ରିଟ ସାମଗ୍ରୀ ଏବଂ ଖମ୍ବ ଯୋଡୁଥିବା ଦେଖାଯାଉଛି।