ଆଜିଠୁ ଓପିଏସସି ପରୀକ୍ଷା, କୋଭିଡ଼ କଟକଣା ଭିତରେ ହେବ ପରୀକ୍ଷା

ଭୁବନେଶ୍ବର,ଏନ୍ଏନ୍ଏସ୍: ଆଜିଠୁ ଆରମ୍ଭ ଓପିଏସ୍‌ସି(ଓପିଏସସି) ପରୀକ୍ଷା। କୋଭିଡ କଟକଣା ଭିତରେ ହେବ ଓଡିଶା ଲୋକସେବା ଆୟୋଗ ପରୀକ୍ଷା । ସକାଳ ୯ଟାରୁ ପରୀକ୍ଷା ଆରମ୍ଭ ହେବ । କୋଭିଡ଼ କଟକଣା ଭିତରେ ସିଭିଲ ସର୍ଭିସ ପରୀକ୍ଷା ଦେବେ ପରୀକ୍ଷାର୍ଥୀ । ଚଳିତ ଥର ପ୍ରାୟ ୪ ହଜାର ୭୫୪ ଜଣ ପରୀକ୍ଷାର୍ଥୀ ପରୀକ୍ଷା ଦେବେ । ଆସନ୍ତା ୨୩ ତାରିଖ ଦିନ ଆସିଷ୍ଟାଣ୍ଟ ସର୍ଜନ ପଦବୀ ନିମନ୍ତେ ପରୀକ୍ଷା ଅନୁଷ୍ଠିତ ହେଉଛି ।

ସକାଳ ୯ଟାରୁ ପରୀକ୍ଷା ଆରମ୍ଭ ହେବ । ଦୁଇଟି ପର୍ୟ୍ୟାୟରେ ପରୀକ୍ଷା କରାଯିବ । ୯ ଟାରୁ ୧୨ଟା ପର୍ୟ୍ୟନ୍ତ ଏବଂ ୨ଟାରୁ ୫ ଟା ପର୍ୟ୍ୟନ୍ତ ପରୀକ୍ଷା ହେବ । ମଝିରେ ଏକ ଘଣ୍ଟା ସମସ୍ତ ରୁମକୁ ସାନିଟାଇଜ କରାଯିବ ବୋଲି ସୂଚନା ମିଳିଛି । କୋଭିଡକୁ ଦୃଷ୍ଟିରେ ରଖି ସବୁ ପରୀକ୍ଷାର୍ଥୀଙ୍କୁ ଏନ୍‌-୯୫ ମାସ୍କ ପିନ୍ଧିବାକୁ କୁହାଯାଇଛି । ମାସ୍କ ପିନ୍ଧି ନଥିବା ପରୀକ୍ଷାର୍ଥୀଙ୍କୁ ପରୀକ୍ଷା କେନ୍ଦ୍ରରେ ପ୍ରବେଶ କରିବାକୁ ଅନୁମତି ଦିଆଯିବ ନାହିଁ । କେବଳ ପରୀକ୍ଷା ପରିଚାଳନା ଅଧିକାରୀମାନେ ତଦାରଖ କରିବା ସମୟରେ ପରୀକ୍ଷାର୍ଥୀମାନେ ମାସ୍କ ଖୋଲିବେ ।

ପରୀକ୍ଷା କେନ୍ଦ୍ରଗୁଡ଼ିକରେ ସାନିଟାଇଜେସନ୍ ବ୍ୟବହାର କରିବା ପାଇଁ ବ୍ୟବସ୍ଥା କରାଯାଇଛି । ପରୀକ୍ଷା କେନ୍ଦ୍ରରେ ଓ ପରିସର ମଧ୍ୟରେ ପରୀକ୍ଷାର୍ଥୀମାନେ କୋଭିଡ ନିୟମ ଅନୁପାଳନ ପୂର୍ବକ ସାମାଜିକ ଦୂରତା ରକ୍ଷା କରିବା ଓ ବ୍ୟକ୍ତିଗତ ସ୍ୱାସ୍ଥ୍ୟରକ୍ଷା ନିୟମ ପାଳନ କରିବାକୁ କୁହାଯାଇଛି । ଯଦି କୌଣସି ସମୟରେ ପରୀକ୍ଷାର୍ଥୀଙ୍କର କୋରୋନା ଲକ୍ଷଣ ପ୍ରକାଶ ପାଏ, ସେ ତୁରନ୍ତ କେନ୍ଦ୍ରରେ ରହିଥିବା ପରୀକ୍ଷା ପରିଚାଳକଙ୍କୁ ଜଣାଇବେ । ଏହି ପରୀକ୍ଷାର୍ଥୀଙ୍କ ନିମନ୍ତେ ପୃଥକବାସ ପରୀକ୍ଷା ପ୍ରକୋଷ୍ଠର ବ୍ୟବସ୍ଥା କରାଯାଇଛି ।