ସାମାଜିକ ଦୂରତ୍ୱ ଆମ ପାଇଁ ବଡ଼, ଲକଡାଉନ ସମୟରେ ଇ-ପେପର ଦ୍ବାରା ଖବର ପାଇପାରିବେ ପାଠକ

କରୋନା ସାରା ବିଶ୍ୱରେ ତୋଫାନ ବେଗରେ ମାଡ଼ିଚାଲିଛି। ବର୍ତ୍ତମାନ ସୁଦ୍ଧା ବିଶ୍ୱରେ ୪ ଲକ୍ଷରୁ ଅଧିକ ଲୋକ ଏଥିରେ ଆକ୍ରାନ୍ତ ହୋଇଥିବା ବେଳେ ୧୭ ହଜାରରୁ ଅଧିକ ପ୍ରାଣ ହରାଇଲେଣି। କହିବାକୁ ଗଲେ ସାରା ବିଶ୍ୱ ଏବେ କରୋନା ଯୁଦ୍ଧରେ ଅବତୀର୍ଣ୍ଣ ହୋଇଛି। ଭାରତରେ ମଧ୍ୟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବଢ଼ି ଚାଲିଛି। କେନ୍ଦ୍ର ଓ ରାଜ୍ୟ ସରକାରମାନେ ଏହି ଭୟାନକ ଭୂତାଣୁର ମୁକାବିଲା ପାଇଁ ଦିନରାତି ଏକାକାର କରିଦେଇଛନ୍ତି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ସାରା ଓଡ଼ିଶାକୁ ଲକ୍ଡାଉନ କରିଥିବା ବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସାରାଦେଶକୁ ୨୧ ଦିନ ଲକ୍ଡାଉନ ଘୋଷଣା କରିଛନ୍ତି। ସମସ୍ତ କାମକୁ ପଛରେ ପକାଇ ଓଡ଼ିଶା ସରକାର ସର୍ବୋପରି ଭାରତ ସରକାର କରୋନା ଭୂତାଣୁ ମୁକାବିଲା ଚିନ୍ତାରେ ଅଛନ୍ତି। ବର୍ତ୍ତମାନ ସୁଦ୍ଧା କରୋନାକୁ ପ୍ରତିହତ କରିବା ପାଇଁ ବିଶ୍ୱରେ କୌଣସି ଔଷଧ ବା ସାଧନ ବାହାରିପାରି ନାହିଁ। ସାମାଜିକ ଦୂରତ୍ୱ ହିଁ କରୋନା ରାକ୍ଷସର ନିଧନ ପାଇଁ ଏକମାତ୍ର ଉପାୟ। ଚୀନରେ କରୋନା ଭୂତାଣୁ ଜନ୍ମନେବା ଠାରୁ ଆଜିଯାଏ ‘ନିତିଦିନ’ ସବୁଦିନ ଏ ସମ୍ପର୍କିତ ଖବର ପ୍ରକାଶ କରିବା ସହିତ ସଚେତନତା ସୃଷ୍ଟି କରିବାରେ କୌଣସି ଅବହେଳା କରିନାହିଁ। ଏକ ନିରପେକ୍ଷ ଖବର କାଗଜ ହିସାବାରେ ‘ନିତିଦିନ’ ତା’ର ସାମାଜିକ ଦାୟିତ୍ୱ ବହନ କରିଆସିଛି।

ଡାକ୍ତର, ନର୍ସ, ପୁଲିସ ଓ ଅତ୍ୟାବଶ୍ୟକ ସେବାରେ ନିୟୋଜିତ କର୍ମଚାରୀଙ୍କୁ ଆମେ କୃତଜ୍ଞତା ଜଣାଇବା ସହିତ ସେମାନଙ୍କୁ ଉତ୍ସାହିତ କରିଛୁ। ଏବେ ପ୍ରତିଦିନ ଖବରକାଗଜ ପ୍ରକାଶ କରିବା ଅପେକ୍ଷା ସାମାଜିକ ଦୂରତ୍ୱ ରକ୍ଷାକୁ ଆମେ ଅଧିକ ଗୁରୁତ୍ୱ ଦେଉଛୁ। ଗୋଟିଏ ଖବରକାଗଜ ପ୍ରକାଶ କରିବାକୁ ହେଲେ ପ୍ରତିଦିନ ଶତାଧିକ ଲୋକଙ୍କୁ ଏକାଠି ହେବାକୁ ପଡ଼ିଥାଏ; ଯାହାକି ବର୍ତ୍ତମାନ ସମୟ ପାଇଁ ପ୍ରଣୟନ ହୋଇଥିବା ସରକାରୀ ନିୟମର ପରିପନ୍ଥୀ।

ଅନ୍ୟପକ୍ଷରେ ଆମର ବିତରକ ଭାଇମାନେ ନିଜ ଜୀବନକୁ ବିପନ୍ନ କରି ଏଭଳି ଲକ୍ଡାଉନ ସମୟରେ ଗଳିକନ୍ଦିରେ ବୁଲି କାଗଜ ବାଣ୍ଟିବା ସମ୍ଭବ ନୁହେଁ। ସରକାରୀ ନୀତି ନିୟମକୁ ସମ୍ମାନ ଜଣାଇ ଏବଂ ପରିସ୍ଥିତିର ମୁକାବିଲା ପାଇଁ ‘ନିତିଦିନ’ର ଦୈନିକ ପ୍ରକାଶନକୁ ଆମେ ୨୧ ଦିନ ପାଇଁ ବନ୍ଦ ରଖିବାକୁ ନିଷ୍ପତ୍ତି ନେଇଛୁ।

ସହୃଦୟ ପାଠକ ପାଠିକାମାନେ ଏ କ୍ଷେତ୍ରରେ ଆମକୁ ସହଯୋଗ କରିବେ ବୋଲି ଆଶା ରଖୁଛି। ତେବେ ‘ନିତିଦିନ’ର ଦୈନିକ ପ୍ରକାଶନ ବନ୍ଦ ରହିଲେ ବି ଏହାର ଇ-ପେପର ପୂର୍ବଭଳି ନିୟମିତ ପ୍ରକାଶ ପାଇବ। ତେଣୁ ପାଠକ ପାଠିକାମାନେ ଏ କ୍ଷେତ୍ରରେ ଆମକୁ ସହଯୋଗ କରିବେ ବୋଲି ଆଶା ରଖୁଛି । ତେବେ ‘ନିତିଦିନ’ର ଦୈନିକ ପ୍ରକାଶନ ବନ୍ଦ ରହିଲେ ବି ଏହାର ଇ-ପେପର ପୂର୍ବଭଳି ନିୟମିତ ପ୍ରକାଶ ପାଇବ। ତେଣୁ ପାଠକ ପାଠିକାମାନେ https://odishanewsnitidin.com/ ୱେବ୍ ସାଇଟକୁ ଯାଇ ପ୍ରତିଦିନର ଖବର ପାଇପାରିବେ ।
ସମ୍ପାଦକ