କରୋନା ଭୟ : ବୃନ୍ଦାବନ ଧାମରେ ଫଶି ରହିଛନ୍ତି ୫୯ତୀର୍ଥ ଯାତ୍ରୀ

ଦେବଗଡ,ଏନ୍ଏନ୍ଏସ୍ : ସାରା ବିଶ୍ୱରେ ଆତଙ୍କ ସୃଷ୍ଟି କରିଥିବା କରୋନା ସଂକ୍ରମଣକୁ ରୋକିବା ନେଇ କେନ୍ଦ୍ର ସରକାରଙ୍କ ଠାରୁ ଆରମ୍ଭ କରି ରାଜ୍ୟ ସରକାର ବିଭିନ୍ନ ପଦକ୍ଷେପ ଗ୍ରହଣ କରି ଭାରତର ଜନସଧାରଣଙ୍କ ହିତକୁ ଦୃଷ୍ଟିରେ ରଖି ଲକଡାଉନ ଘୋଷଣା କରିଛନ୍ତି । କରୋନା ସଂକ୍ରମଣ ରୋକିବାର ପଦକ୍ଷେପ ସ୍ୱରୂପ ଦେଶରେ ରେଳପଥ , ସଡକ ଓ ଆକାଶ ମାର୍ଗ କୁ ବନ୍ଦ କରାଯାଇ ଜନ ସାଧାରଣଙ୍କ ମଧ୍ୟରେ ଦୂରତା ରକ୍ଷା ପାଇଁ ସରକାର ପଦକ୍ଷେପ ନେଇଛନ୍ତି । ବିଭିନ୍ନ ରାଜ୍ୟ ଓ ଜିଲ୍ଲା ମଧ୍ୟରେ ଯୋଗା ଯୋଗ ବିଛିନ୍ନ ହୋଇଛି । ଏହି କ୍ରମରେ ଦେବଗଡ ଜିଲ୍ଲା ରିଆମାଳ ବ୍ଲକ ଅନ୍ତର୍ଗତ କରଲଗା ପଂଚାୟତ ର ଲିଙ୍ଗରାଜ ବସନ୍ତରା, ବିଦ୍ୟୁତପ୍ରଭା ବସନ୍ତରା,ନଳିନୀ ସାହୁ,ମରୁଆଁ ମହାନ୍ତି,ହୀରା ମହାନ୍ତି ,ଦର୍ପଣୀ ସାହୁ ,ଶରତ ସାହୁ ,ରମେଶ ଚନ୍ଦ୍ର ବେହେରା ,ସରୋଜିନୀ ବେହେରା, ଓ ବାରକୋଟ ବ୍ଲକ ବିଜୟ ନଗର ଗ୍ରାମ ର ରାଧା ବେହେରା ପ୍ରମୁଖ ତୀର୍ଥ କରିବା ପାଇଁ ଗତ ୧୩ ତାରିଖ ଠାରୁ ଉତ୍ତର ଭାରତ ର ତୀର୍ଥ ସ୍ଥଳି ଭ୍ରମଣରେ ବାହରିଥିଲେ।

ଆଜି ସେମାନଙ୍କ ପ୍ରତ୍ୟାବର୍ତନ ପାଇଁ ପୂର୍ବରୁ ଟ୍ରେନ ଟିକଟ ସଂରକ୍ଷଣ କରାଯାଇଥିଲା । ମାତ୍ର ସେମାନେ ତୀର୍ଥସ୍ଥଳି ବୃନ୍ଦାବନ ପହଚିଂବା ପରେ ସେମାନେ ସମସ୍ତ ଟ୍ରେନ ବାତିଲ ହୋଇଥିବା ସହ ଆନ୍ତଃରାଜ୍ୟ ବସ ଚଳା ଚଳ ମଧ୍ୟ ବନ୍ଦ ହୋଇଥିବା ଜାଣିବାକୁ ପାଇଥିଲେ। ଫଳରେ ସେମାନେ ଫେରି ନ ପାରି ଏକ ମଠରେ ଆଶ୍ରୟ ନେଇ ଥିବା ବେଳେ ବର୍ତମାନ ସେମାନେ ସେଠାରେ ଫସି ରହିଥିବା ଜଣା ପଡିଛି । ସେହିପରି ବଲାଙ୍ଗୀର ,କଳାହାଣ୍ଡି,ସୋନପୁର ଓ ବଉଦ ଜିଲ୍ଲାର ତୀର୍ଥ ଯାତ୍ରୀଙ୍କୁ ମିଶାଇ ବୃନ୍ଦାବନ ଧାମରେ ମୋଟ ୫୯ଜଣ ତୀର୍ଥ ଯାତ୍ରୀ ଫଶି ରହିଥିବା ଜଣା ପଡିଛି ।

କରୋନା ଭୟ ସହ ସ୍ୱଗୃହ ପ୍ରତ୍ୟାବର୍ତନ କରି ନ ପାରି ତୀର୍ଥଯାତ୍ରୀମାନେ ମଠ ମଧ୍ୟରେ ଆବଦ୍ଧ ହୋଇ ସରକାରଙ୍କ ନିଷ୍ପତିକୁ ଅପେକ୍ଷା କରି ଯାନବାହାନ ଚଳାଚଳ ସ୍ୱାଭାବିକ ହେବା ତାରିଖକୁ ଅପେକ୍ଷା କରି ରହିଛନ୍ତି । ସେହିପରି ସେମାନେ ରାଜ୍ୟ ପରିବହନ ମନ୍ତ୍ରୀଙ୍କୁ ସେମାନଙ୍କୁ ଉଦ୍ଧାର କରିବା ପାଇଁ ନିବେଦନ କରିବା ସହ ସୋସିଆଲ ମିଡିଆ ମାଧ୍ୟମରେ ସେମାନେ ସୁରକ୍ଷିତ ଥିବା ଏବଂ ସେମାନଙ୍କ ଉଦ୍ଧାର ପାଇଁ ଅପିଲ କରୁଥିବା ଦେଖିବାକୁ ମିଳିଛି ।