ପାଟନା,ଏଜେନ୍ସି: ଆରସିପି ସିଂହଙ୍କୁ ଜେଡି(ୟୁ)ର ନୂତନ ସଭାପତି ଭାବେ ମନୋନୀତ କରାଯାଇଛି। ସେ ଖୁବଶୀଘ୍ର ବିହାର ମୁଖ୍ୟମନ୍ତ୍ରୀ ତଥା ଜେଡି(ୟୁ) ସୁପ୍ରିମୋ ନୀତୀଶ କୁମାରଙ୍କଠାରୁ ଦାୟିତ୍ୱ ଗ୍ରହଣ କରିବେ। ରବିବାର ଏଠାରେ ଦଳର କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ ହୋଇଥିବାବେଳେ ନୀତୀଶ ସଭାପତି ପଦ ପାଇଁ ସିଂହଙ୍କ ନାମ ସୁପାରିସ କରିଥିବାବେଳେ ଅନ୍ୟ ଚାରିଜଣ ସଦସ୍ୟ ଏହାକୁ ସମର୍ଥନ କରିଥିଲେ। ସୂଚନାଯୋଗ୍ୟ ୨୦୧୯ରେ ନୀତୀଶ ତିନିବର୍ଷ ପାଇଁ ଜେଡିୟୁ ସଭାପତି ନିର୍ବାଚିତ ହୋଇଥିଲେ ସୁଦ୍ଧା ଅବଧି ପୂରଣ ପୂର୍ବରୁ ଏହି ପଦରୁ ଇସ୍ତଫା ଦେଇଛନ୍ତି। ପ୍ରଶାସକରୁ ରାଜନେତା ପାଲଟିଥିବା ସିଂହ ବର୍ତ୍ତମାନ ରାଜ୍ୟସଭାରେ ଜେଡିୟୁର ସଂସଦୀୟ ନେତାଭାବେ କାର୍ଯ୍ୟ କରୁଛନ୍ତି।