ଆରବିଆଇ ବୋର୍ଡ ମିଟିଂ: ଘରୋଇ କ୍ରିପ୍ଟୋକରେନ୍ସିଂ ଉପରେ ହେବ ଆଲୋଚନା

ନୂଆଦିଲ୍ଲୀ,ଏଜେନ୍ସି: ଶୁକ୍ରବାର ଲକ୍ଷ୍ନୌରେ ରିଜର୍ଭ ବ୍ୟାଙ୍କର କେନ୍ଦ୍ରୀୟ ବୋର୍ଡ ବୈଠକ ବସିଛି। ଗଭର୍ଣ୍ଣର ଶକ୍ତିକାନ୍ତ ଦାସଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ କେନ୍ଦ୍ରୀୟ ବ୍ୟାଙ୍କ ଡିଜିଟାଲ ମୁଦ୍ରା ଏବଂ ଘରୋଇ କ୍ରିପ୍ଟୋକରେନ୍ସିଂ ଉପରେ ଆଲୋଚନା ହୋଇଛି। ଆରବିଆଇ ଏକ ବିବୃତ୍ତି ଜରିଆରେ ଏନେଇ ସୂଚନା ଦେଇଛି।

କହିରଖୁଛୁ କି, କ୍ରିପ୍ଟୋକରେନ୍ସିଂଗୁଡିକୁ ଦେଶରେ ବ୍ୟାନ କରିବା ପାଇଁ ପୂର୍ବରୁ ଶକ୍ତିକାନ୍ତ ଦାସ ଯୁକ୍ତି ବାଢିଥିଲେ। ତେବେ କେନ୍ଦ୍ରୀୟ ବୋର୍ଡର ଏହି ବୈଠକରେ କ୍ରିପ୍ଟୋ ଗୁଡିକୁ ନିଷିଦ୍ଧ କରିବା ପାଇଁ ଆଲୋଚନା ହୋଇଥିବା ଚର୍ଚ୍ଚା ହେଉଛି।

ଏନେଇ ଆରବିଆଇ ବିବୃତ୍ତିରେ କୁହାଯାଇଛି, କେନ୍ଦ୍ରୀୟ ଡିଜିଟାଲ ମୁଦ୍ରା ଏବଂ ଘରୋଇ କ୍ରିପ୍ଟୋକରେନ୍ସିଂ ସମ୍ପର୍କିତ ବିଭିନ୍ନ ଦିଗ ଉପରେ ବୋର୍ଡ ଆଲୋଚନା କରିଛି। ତେବେ କ୍ରିପ୍ଟୋକରେନ୍ସିଂ କ’ଣ ନିଷ୍ପତ୍ତି ନିଆଯାଇଛି ସେନେଇ ବିବୃତ୍ତିରେ କିଛି ସ୍ପଷ୍ଟ କରାଯାଇନାହିଁ।

ନିକଟରେ କ୍ରିପ୍ଟୋକରେନ୍ସିଂ ଗୁଡିକ ଉପରେ ଆଇନ ଆଣିବାକୁ ସରକାର ପ୍ରସ୍ତାବ ଦେଇଛନ୍ତି। ସଂସଦ ଶୀତକାଳୀନ ଅଧିବେଶନରେ ଡିଜିଟାଲ କରେନ୍ସିଂ ଉପରେ ବିଚାର ପାଇଁ କ୍ରିପ୍ଟୋକରେନ୍ସିଂ ଏବଂ ଅଫିସିଆଲ ଡିଜିଟାଲ ମୁଦ୍ରା ରେଗୁଲେସନ ବିଲ୍ ୨୦୨୧କୁ ତାଲିକାଭୁକ୍ତ କରାଯାଇଛି। ହେଲେ ଚଳିତ ଅଧିବେଶନରେ ଏହି ବିଲ୍ ଉପସ୍ଥାପିତ ହୋଇନପାରେ ବୋଲି ସୂତ୍ରରୁ ସୂଚନା ମିଳିଛି।

ଏଥିସହ ବ୍ୟାଙ୍କ ନୋଟ ପରିଭାଷା ପରିସରକୁ ବ୍ୟାପକ କରି ଡିଜିଟାଲ ଫର୍ମରେ ମୁଦ୍ରାର ଅନ୍ତର୍ଭୁକ୍ତୀକରଣ କରିବା ଲାଗି ରିଜର୍ଭ ବ୍ୟାଙ୍କ ଅଫ ଇଣ୍ଡିଆ ଆକ୍ଟ, ୧୯୩୪ରେ ସଂଶୋଧନ ପାଇଁ ନିକଟରେ ଆରବିଆଇ ପକ୍ଷରୁ ସରକାର ଏକ ପ୍ରସ୍ତାବ ଗ୍ରହଣ କରିଛନ୍ତି। ଏନେଇ ସଂସଦ ସୂଚନା ଦେଇଛି। କେନ୍ଦ୍ରୀୟ ବ୍ୟାଙ୍କ ଲଗାତାର ଭାବେ କ୍ରିପ୍ଟୋକରେନ୍ସିଂ ବିରୁଦ୍ଧରେ ନିଜର ମତ ଦେଇଆସୁଛି। କ୍ରିପ୍ଟୋକୁ ଅନୁମତି ମିଳିଲେ ଦେଶର ଆର୍ଥିକ ବ୍ୟବସ୍ଥା ପ୍ରତି ବିପଦ ସୃଷ୍ଟି ହେବ ବୋଲି ଆରବିଆଇ ଯୁକ୍ତି ଉପସ୍ଥାପନ କରିଛି।

କେନ୍ଦ୍ରୀୟ ବ୍ୟାଙ୍କର ଏହି ବୈଠକରେ ଡେପୁଟି ଗଭର୍ଣ୍ଣର ମହେଶ କୁମାର ଜେନ, ମାଇକେଲ ଦେବବ୍ରତ ପାତ୍ର, ଏମ ରାଜେଶ୍ବର ରାଓ, ଟି ରବିଶଙ୍କର ଏବଂ ବୋର୍ଡର ଅନ୍ୟାନ୍ୟ ନିର୍ଦ୍ଦେଶକମାନେ ଉପସ୍ଥିତ ଥିଲେ। ଆର୍ଥିକ ସେବା ବିଭାଗର ସେକ୍ରାଟାରୀ ଦେବାଶିଷ ପଣ୍ଡା ମଧ୍ୟ ଏଥିରେ ଯୋଗ ଦେଇଥିଲେ।