ଆଦିବାସୀଙ୍କ ଚିତ୍ର ଆଙ୍କି ଚର୍ଚ୍ଚାରେ କଟକ ବୋହୂ ନମିତା

କଟକ,ଏନ୍ଏନ୍ଏସ୍: ଦୃଢ଼ ଇଚ୍ଛା ଶକ୍ତି ସଫଳତାର ଶୀର୍ଷରେ ପହଞ୍ଚାଇ ଥାଏ। ଏହାର ସ୍ପଷ୍ଟ ଉଦାହରଣ ପାଲଟିଛନ୍ତି କଟକର ନମିତା ସାହୁ। ବିନା କୌଣସି ତାଲିମରେ ଆଙ୍କୁଛନ୍ତି ଆଦିବାସୀ ଚିତ୍ର (ଟ୍ରାଇବାଲ ଆର୍ଟ)। ପେସାରେ ଶିକ୍ଷୟିତ୍ରୀ ହେଲେ ବି ନିଶା ତାଙ୍କର ଚିତ୍ର ଆଙ୍କିବା। ଆଦିବାସୀଙ୍କ ଚିତ୍ରର ପ୍ରଚାର ପ୍ରସାର କରି ଏହାକୁ ଲୋକଲୋଚନକୁ ଆଣିବାର ପ୍ରୟାସ ତାଙ୍କୁ ଦେଇଛି ଏକ ନିଆରା ପରିଚୟ। ସୁଗୃହିଣୀ ହେବା ସହ ଏକ ଚିତ୍ରଶିଳ୍ପୀ ଭାବେ ନିଜକୁ ଦେଇଛନ୍ତି ଏକ ସ୍ବତନ୍ତ୍ର ପରିଚୟ।

କଟକ କଲେଜ ଛକଠାରେ ବାସ କରୁଥିବା ଅମିତ ସାହୁଙ୍କ ପତ୍ନୀ ନମିତା ସାହୁଙ୍କ ଜନ୍ମ ବଲାଙ୍ଗୀରରେ। ବସୟ ୪୪ ବର୍ଷ। ପେସାରେ ଜଣେ ଶିକ୍ଷୟିତ୍ରୀ ହେଲେ ବି ନିଶା ତାଙ୍କର ଚିତ୍ର ଆଙ୍କିବା। ତେବେ ବିବାହର କିଛି ବର୍ଷ ମଧ୍ୟରେ ଚାକିରି ଛାଡ଼ି ଘରର ସସମ୍ତ ଦାୟିତ୍ବକୁ ସେ ଆପଣେଇ ଥିଲେ। ହେଲେ ପିଲାବେଳର ଆଗ୍ରହକୁ ଭୁଲି ନ ପାରି ଏହାକୁ ସତରେ ପରିଣତ କରିବା ପାଇଁ ଆରମ୍ଭ କରିଥିଲେ ପ୍ରୟାସ। ତେବେ ଆଦିବାସୀଙ୍କ ଚିତ୍ରକଳା ବା ଟ୍ରାଇବାଲ ଆର୍ଟକୁ ଲୋକଲୋଚନକୁ ଆଣିବା ପାଇଁ ଆଜିକୁ ୧୦ ବର୍ଷ ହେବ ସେ ଆଙ୍କୁଛନ୍ତି ଭଳି କି ଭଳି ଆଦିବାସୀଙ୍କ ଚିତ୍ର। ବିନା କୌଣସି ତାଲିମ ନେଇ ଓ ଘରର ସମସ୍ତ ଦାୟିତ୍ବ ତୁଲାଇବା ସହ ଏଭଳି ନିଆରା ପ୍ରୟାସ ନମିତାଙ୍କୁ ଦେଇଛି ସ୍ବତନ୍ତ୍ର ପରିଚୟ।

ଚିତ୍ର ଗୁଡ଼ିକ ମଧ୍ୟରେ- କାନ୍‌ଭାସ ପେଣ୍ଟିଙ୍ଗ, ଉଡ଼ ପେଣ୍ଟିଙ୍ଗ, କ୍ଲଥ ପେଣ୍ଟିଙ୍ଗ, ଆଦିବାସୀ ମାନେ ବ୍ୟବହାର କରୁଥିବା ଭଳି କି ଭଳି ଅଳଙ୍କାର, ହ୍ୟାଣ୍ତ ବ୍ୟାଗ, କୁସନ କଭର, ମହିଳାଙ୍କ ଚୁନ୍‌ରି ଇତ୍ୟାଦି ରହିଛି। ଆଦିବାସୀ ଲୋକଙ୍କ ଚାଲିଚଳନ, ଗତିବିଧି, ପୂଜା ପାର୍ବଣକୁ ନିଜର ଚିତ୍ରକଳାରେ ଜୀବନ୍ୟାସ ଦେଇଛନ୍ତି।