ଆଜି ପ୍ରଧାନମନ୍ତ୍ରୀ ମୋଦୀଙ୍କ ଉତ୍ତରପ୍ରଦେଶ ଗସ୍ତ, ଶିଳାନ୍ୟାସ କରିବେ ଗଙ୍ଗା ଏକ୍ସପ୍ରେସ୍‌

ନୂଆଦିଲ୍ଲୀ,ଏଜେନ୍ସି: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଉତ୍ତରପ୍ରଦେଶ ଗସ୍ତ କରିବେ ଏହି ଅବସରରେ ପ୍ରଧାନମନ୍ତ୍ରୀ ଶାହଜହାଁପୁରରେ ଗଙ୍ଗା ଏକ୍ସପ୍ରେସ୍‌ର ଶିଳାନ୍ୟାସ କରିବେ। ଅପରାହ୍ଣ ୧ଟାରେ ଏଥି ପାଇଁ କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି।

ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ତରଫରୁ କୁହାଯାଇଛି ଯେ, ଗଙ୍ଗା ଏକ୍ସପ୍ରେସ୍‌ ମାଧ୍ୟମରେ ଦେଶର ଯୋଗାଯୋଗ ବ୍ୟବସ୍ଥାକୁ ଆହୁରି ସହଜ କରାଯାଇପାରିବ। ଏହି ରାଜପଥ ୬ ଥାକିଆ ହେବ। ୫୯୪ କିମି ବିଶିଷ୍ଟ ରାଜପଥ ପାଇଁ ୩୬ ହଜାର ୨୦୦ କୋଟି ଟଙ୍କା ଖର୍ଚ୍ଚ ହେବ। ମେରଠର ବିଜାଉଲି ଗାଁରୁ ଗଙ୍ଗା ଏକ୍ସପ୍ରେସ୍‌ର ନିର୍ମାଣ କାମ ଆରମ୍ଭ ହେବ। ପ୍ରୟାଗରାଜର ଯୁଦାପୁର ଦାଣ୍ଡୁ ଗାଁ ନିକଟ ପର୍ଯ୍ୟନ୍ତ ଏହି ରାସ୍ତା ଲମ୍ବିବ। ଏହି ରାସ୍ତା ମେରଠ, ହାପୁର, ବୁଲନ୍ଦସହର, ଆମୋରା, ସମ୍ବଲ, ବୁଦାଉନ, ଶାହଜହାଁପୁର, ହର୍ଦୋଇ, ଉନ୍ନାଓ, ରାୟବରେଲି, ପ୍ରତାପଗଡ଼ ଓ ପ୍ରୟାଗରାଜକୁ ଯୋଡ଼ିବ। ଏହା ରାଜ୍ୟର ଦୀର୍ଘତମ ରାଜ୍ୟପଥ ହେବ, ଯାହାକି ପୂର୍ବରୁ ପଶ୍ଚିମ ଭାଗକୁ ଯୋଡ଼ିବ। ଏହି ରାଜପଥରେ ୩.୫ କମି ଲମ୍ବ ଏୟାରଷ୍ଟ୍ରିପ ଓ ବାୟୁସେନାର ବିମାନ ଅବତରଣ କରିବା ଭଳି ବ୍ୟବସ୍ଥା ହେବ।

ପ୍ରଧାନମନ୍ତ୍ରୀ ମୋଦୀ ଆଜିଠାରୁ ୧୦ ଦିନ ମଧ୍ୟରେ ୪ ଥର ଉତ୍ତରପ୍ରଦେଶକୁ ଗସ୍ତ କରିବେ।ପ୍ରଧାନମନ୍ତ୍ରୀ ମୋଦୀ ଡିସେମ୍ବର ୧୮ରେ ଶାହଜହାପୁର ଗସ୍ତରେ ରହିବେ। ଡିସେମ୍ବର ୨୧ରେ ମୋଦୀ ପ୍ରୟାଗରାଜ, ୨୩ରେ ବାରାଣସୀ ଓ ୨୮ରେ କାନପୁର ଗସ୍ତ କରିବେ।