ସ୍ୱତନ୍ତ୍ର ଶ୍ରମିକ ଟ୍ରେନରେ ଆସିଲେ ୧୪୮ ପ୍ରବାସୀ

ରାୟଗଡା,ଏନ୍ଏନ୍ଏସ୍ : ଦକ୍ଷିଣ ଭାରତର ବିଭିନ୍ନ ସ୍ଥାନରେ ଥିବା ୧୪୮ ଜଣ ପ୍ରବାସୀ ଶ୍ରମିକ ଆଜି ସ୍ୱତନ୍ତ୍ର ଟ୍ରେନ ଯୋଗେ ରାୟଗଡାରେ ପହଂଚିଛନ୍ତି। ସ୍ୱତନ୍ତ୍ର ଶ୍ରମିକ ଟ୍ରେନରେ ପ୍ରବାସୀ ଶ୍ରମିକମାନେ ଆସୁଥିବା ଖବର ପୂର୍ବରୁ ହିଁ ରେଳ ବିଭାଗ ତରଫରୁ ଜିଲ୍ଲା ପ୍ରଶାସନକୁ ସୂଚନା ଦିଆଯାଇଥିଲା। ପ୍ରଶାସନ ତରଫରୁ ଗଜପତି ଛକ ଠାରୁ ସାଇ ଇଣ୍ଟରନ୍ୟାସନାଲ ଛକ ଯାଏଁ ୧୪୪ ଧାରା ଜାରୀ କରାଯାଇଥିଲା। ଟ୍ରେନ ନଂ ୦୭୭୪୭ ଘଟକେଶ୍ୱର ଠାରୁ ବଲାଙ୍ଗୀର ଯାଏଁ ଆସିଥିଲା। ଦିନ ୧୧ଟା ସମୟରେ ରାୟଗଡା ରେଳ ଷ୍ଟେସନ ଠାରେ ଟ୍ରେନ ପହଂଚିବା ପରେ ପ୍ରଶାସନ ତରଫରୁ ଶ୍ରମିକମାନଙ୍କୁ ସ୍ୱାଗତ କରାଯାଇଥିଲା।

ଅତିରିକ୍ତ ଜିଲ୍ଲାପାଳ ଶରତ ଚନ୍ଦ୍ର ପଣ୍ଡା, ଉପ-ଜିଲ୍ଲାପାଳ ପ୍ରତାପ ଚନ୍ଦ୍ର ପ୍ରଧାନ, ଆଂଚଳିକ ପରିବହନ ଅଧିକାରୀ ଦିଲ୍ଲୀପ କୁମାର ଦଳେଇ, ଉପଖଣ୍ଡ ପୋଲିସ ଅଧିକାରୀ ତପନ କୁମାର ରଥ, ଅତିରିକ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ ନୃସିଂହ ଚରଣ ପଟ୍ଟନାକ, ରେଳ ବିଭାଗ ପୋଲିସ ଅଧିକାରୀ ଡି.ଏନ.ତ୍ରିଲୈକ ଏବଂ ଅନ୍ୟାନ୍ୟ କର୍ମଚାରୀମାନେ ଶ୍ରମିକମାନଙ୍କୁ ସ୍ୱାଗତ କରିଥିଲେ। ରାୟଗଡା ଠାରେ ଓହ୍ଲାଇଥିବା ଶ୍ରମିକମାନଙ୍କ ପଞ୍ଜିକରଣ କରଣ ସହ ଥର୍ମାଲ ସ୍କ୍ରିନଂ କରାଯାଇଥିଲା।

୦୭୭୪୬ ଟ୍ରେନରେ ନବରଙ୍ଗପୁର ଜିଲ୍ଲାର ୭୮ ଜଣ ପ୍ରବାସୀ ଆସିଥିବା ବେଳେ, ଟ୍ରେନ ନଂ ୦୬୪୮୪ରେ ନବରଙ୍ଗପୁର ଜିଲ୍ଲାର ୬୪ ଏବଂ କନ୍ଧମାଳ ଜିଲ୍ଲାର ୬ ଜଣ ପ୍ରବାସୀ ଆସିଥିଲେ। ଏଥି ସହ ରାତି ସୁଦ୍ଧା ଆଉ ତିନୋଟି ଟ୍ରେନ ଆସିବାର ଅଛି। ଟ୍ରେନ ନଂ ୦୭୭୪୮, ୦୬୪୬୬ ଏବଂ ୦୭୭୪୯ ରେ ମଧ୍ୟ ପ୍ରବାସୀ ଶ୍ରମିକ ମାନେ ଆସିବାର ସୂଚନା ରହିଛି। ରାୟଗଡା ରେଳ ଷ୍ଟେସନରେ ଓହ୍ଲାଇଥିବା ପ୍ରବାସୀ ଶ୍ରମିକମାନଙ୍କୁ ନିଜ ନିଜ ଜିଲ୍ଲାର ନୋଡାଲ ଅଧିକାରୀମାନଙ୍କୁ ହସ୍ତାନ୍ତର କରାଯାଇଛି। ବର୍ତମାନ ସୁଦ୍ଧା ରାୟଗଡା ରେଳ ଷ୍ଟେସନରେ ୩ ହଜାର ୭୪୮ ଜଣ ପ୍ରବାସୀ ଓହ୍ଲାଇଛନ୍ତି ।