ଗୁଣପୁରରେ ସ୍ତ୍ରୀରୋଗ ବିଶେଷଜ୍ଞ ଓ ୨ଆଟେଣ୍ଡାଣ୍ଟ କରୋନାରେ ସଂକ୍ରମିତ: ୩ଦିନ ବର୍ହି ବିଭାଗ, ପ୍ରସୂତୀ କକ୍ଷ ବନ୍ଦ ନିର୍ଦ୍ଦେଶ

ରାୟଗଡ଼ା,ଏନ୍ଏନ୍ଏସ୍: ଘରୋଇ କ୍ଲିନିକରେ ରୋଗୀ ସେବା ପରେ ଗୁଣପୁର ମେଡିକାଲ୍ ବୁଲି ଆସି ଡାକ୍ତର, କର୍ମଚାରୀ ସହ ମିଳାମିଶା କରି କରୋନା ବାଣ୍ଟିଲେ ଡାକ୍ତର। କରୋନା ନିୟମ ଉଲଂଘନ କରି ଗୁଣପୁର ପ୍ରତି ବିପଦ ବଢ଼ାଇଛନ୍ତି ଗଜପତିର ସରକାରୀ ଡାକ୍ତର। ସମ୍ପୃକ୍ତ ଡାକ୍ତରଙ୍କ ସହ ପରିବାରର ୩ ଜଣ କରୋନାରେ ସଂକ୍ରମିତ ହୋଇ ଚିକିତ୍ସାଧୀନ ଥିବାବେଳେ ଆଜି ଗୁଣପୁର ମେଡ଼ିକାଲର ସ୍ତ୍ରୀରୋଗ ବିଶେଷଜ୍ଞଙ୍କ ସହ ୨ ଆଟେଣ୍ଡାଣ୍ଟ କରୋନାରେ ସଂକ୍ରମିତ ହୋଇଛନ୍ତି। ତେଣୁ ସଂକ୍ରମଣକୁ ରୋକିବା ପାଇଁ ଉପଖଣ୍ଡ ଚିକିତ୍ସାଳୟର ବର୍ହି ବିଭାଗ ସହ ପ୍ରସୂତୀ କକ୍ଷକୁ ଆଗାମୀ ୩ଦିନ ପାଇଁ ବନ୍ଦ କରି ଦିଆଯାଇଛି। ଜିଲ୍ଲାପାଳ ପ୍ରମୋଦ କୁମାର ବେହେରା ଗୁଣପୁର ଉପଖଣ୍ଡ ଚିକିତ୍ସାଳୟ ପରିଦର୍ଶନ କରି ସ୍ଥିତି ସମୀକ୍ଷା କରିବା ସହ କେବଳ ଆପତକାଳୀନ ଚିକିତ୍ସା ସେବା ଉପଲବ୍ଧ ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏଥିସହିତ ଗୁଣପୁର ଅଗ୍ନିଶମ ବିଭାଗ ପକ୍ଷରୁ ମେଡ଼ିକାଲକୁ ସାନିଟାଇଜ୍ କରାଯାଇଛି।

ସୂଚନାଯୋଗ୍ୟ, ବିଶେଷଜ୍ଞଙ୍କ ସମେତ ପଜିଟିଭ ଚିହ୍ନଟ ହୋଇଥିବା ୨ ଆଟେଣ୍ଡାଣ୍ଟଙ୍କୁ ଜେକେପୁର କୋଭିଡ ସ୍ୱାସ୍ଥ୍ୟକେନ୍ଦ୍ରକୁ ସ୍ଥାନାନ୍ତର କରାଯାଇଛି। ସଂକ୍ରମିତଙ୍କ ସଂସ୍ପର୍ଶରେ ୪୦ରୁ ଉର୍ଦ୍ଧ ଗର୍ଭବତୀ ଆସିଥିବାରୁ ରାପିଡ୍ ରେସପନସ୍ ଟିମ୍ ପକ୍ଷରୁ କଣ୍ଟାକ୍ଟ ଟ୍ରେସିଂ ଆରମ୍ଭ ହୋଇଛି। ପରିସ୍ଥିତି ଉପରେ ନଜର ରଖିବା ସହ ସମସ୍ତ ମେଡ଼ିକାଲ୍ କର୍ମଚାରୀ ଏବଂ ସଂସ୍ପର୍ଶରେ ଆସିଥିବା ରୋଗୀ ଓ ସମ୍ପର୍କୀୟଙ୍କ ସ୍ୱାବ ସଂଗ୍ରହ କରି ପରୀକ୍ଷା ପାଇଁ ପଠାଇବା ଦିଗରେ ପଦକ୍ଷେପ ନେବାକୁ ଗୁଣପୁର ଉପଜିଲ୍ଲାପାଳ ଡା.ସିଦେ୍ଧଶ୍ୱର ବଳିରାମ ବନ୍ଦର ଓ ଉପଖଣ୍ଡ ଚିକିତ୍ସାଧିକାରୀ ଡା. ରମେଶ ସାହୁଙ୍କୁ ଜିଲ୍ଲାପାଳ ଶ୍ରୀ ବେହେରା ନିର୍ଦ୍ଦେଶ ଦେଇଛନ୍ତି।