କରୋନା ଆକ୍ରାନ୍ତଙ୍କୁ ଚିକିତ୍ସା ପ୍ରଦାନରେ ସ୍ୱୟଂକ୍ଷମ ହେଲା ରାୟଗଡ଼ା

ରାୟଗଡ଼ା,ଏନ୍ଏନ୍ଏସ୍: କରୋନା ଆକ୍ରାନ୍ତଙ୍କ ଚିକିତ୍ସା ନିମନ୍ତେ ରାୟଗଡ଼ା ଜିଲ୍ଲା ସ୍ୱୟଂକ୍ଷମ ହୋଇଛି। ପୂର୍ବରୁ ଜିଲ୍ଲାରେ କୋଭିଡ ଚିକିତ୍ସାଳୟ ଥାଇ ମଧ୍ୟ ଜିଲ୍ଲା ପ୍ରଶାସନ ଆକ୍ରାନ୍ତଙ୍କୁ ପଡ଼ୋଶୀ ଜିଲ୍ଲା କୋରାପୁଟ କିମ୍ବା ଗଜପତିର କୋଭିଡ ସ୍ୱାସ୍ଥ୍ୟକେନ୍ଦ୍ରକୁ ପଠାଉଥିଲେ। ହେଲେ ଏବେ ସମସ୍ତ ଆକ୍ରାନ୍ତଙ୍କୁ ଜିଲ୍ଲାରେ ଚିକିତ୍ସା ଯୋଗାଇ ଦିଆଯାଉଥିବା ଜଣାପଡ଼ିଛି। କୋଭିଡ ସ୍ୱାସ୍ଥ୍ୟକେନ୍ଦ୍ରରେ କ୍ରିଟିକାଲ କେୟାର ୟୁନିଟ ସ୍ଥାପନ ହୋଇନଥିବାରୁ କରୋନାରେ ପୀଡ଼ିତ ଗୁରୁତର ଆକ୍ରାନ୍ତଙ୍କୁ ଚିକିତ୍ସା ସମ୍ଭବ ନହେବା ଆଶଙ୍କା କରି ପ୍ରଶାସନ ଆକ୍ରାନ୍ତଙ୍କୁ ପଡ଼ୋଶୀ ଜିଲ୍ଲାକୁ ପଠାଉଥିଲା। ତେବେ ବିଗତ କେଇଦିନ ମଧ୍ୟରେ ଚିହ୍ନଟ ହୋଇଥିବା ମୋଟ ୨୬ଜଣ ଆକ୍ରାନ୍ତଙ୍କୁ ଜିଲ୍ଲା କୋଭିଡ ଚିକିତ୍ସାଳୟରେ ରଖାଯାଇଥିବା ସୂଚନା ମିଳିଛି। ଏଥିମଧ୍ୟରୁ ଗୁଣୁପୁର ଉପଖଣ୍ଡସ୍ଥିତ କୋଭିଡ ସ୍ୱାସ୍ଥ୍ୟକେନ୍ଦ୍ରରେ ୪ଜଣ ଓ ଜେକେପୁରସ୍ଥିତ କୋଭିଡ ଚିକିତ୍ସାଳୟରେ ମୋଟ ୨୨ଜଣ ଚିକିତ୍ସିତ ହେଉଥିବା ଜିଲ୍ଲାପାଳ ପ୍ରମୋଦ କୁମାର ବେହେରା ସୂଚନା ଦେଇଛନ୍ତି। କିନ୍ତୁ ଉକ୍ତ ଚିକିତ୍ସାଳୟରେ ଗୁରୁତର ରୋଗୀଙ୍କ ନିମନ୍ତେ ଆଇସିୟୁ ଓ ଭେଣ୍ଟିଲେଟର କାର୍ଯ୍ୟକ୍ଷମ ହୋଇନଥିବା ଜଣାପଡ଼ିଛି। ତେବେ ଏଥିନେଇ ଆବଶ୍ୟକ ଯନ୍ତ୍ରପାତି ଚିକିତ୍ସାଳୟରେ ପହଂଚିବା ସହ ଆଇସିୟୁ କାର୍ଯ୍ୟକ୍ଷମ ହେବା ପୂର୍ବରୁ ଅକ୍ସିଜେନ ପ୍ଲାଣ୍ଟ ଚିକିତ୍ସାଳୟରେ ସ୍ଥାପନ କରାଯାଇଛି। ତେବେ ଚଳିତ ମାସ ଶେଷସୁଦ୍ଧା ବଳକା କାର୍ଯ୍ୟ ଶେଷ କରାଯାଇ ଖୁବଶୀଘ୍ର ଆଇସିୟୁ ୱାର୍ଡ ଓ ଭେଣ୍ଟିଲେଟର କାର୍ଯ୍ୟକ୍ଷମ ହେବ ବୋଲି ସୂଚନା ମିିଳିଛି।