କୋରୋନା ଯୋଦ୍ଧାଙ୍କ ଉଦ୍ଦେଶ୍ୟରେ ଗୀତ ସମର୍ପିତ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,ଏନ୍ଏନ୍ଏସ୍: ବର୍ତ୍ତମାନ ବିଶ୍ୱରେ ଲକ୍ଷାଧିକ ଲୋକ କରୋନା ମହାମାରୀ କବଳରେ କବଳିତ ହୋଇଛନ୍ତି। ଅନେକ ଲୋକ ଏଥିରେ ପ୍ରାଣ ମଧ୍ୟ ହରାଇଛନ୍ତି। ଏମିତି ସଙ୍କଟଜନକ ସ୍ଥିତିରେ ବିଶ୍ୱବାସୀ ଏକ ଅଦୃଶ୍ୟ ଶକ୍ତି ବିରୋଧରେ ଲଢେଇ କରୁଛନ୍ତି । ଆଉ ଏହି ଲଢେଇରେ ସଭିଏଁ ଆଗଧାଡିର ଯୋଦ୍ଧା ଥିବାବେଳେ ଡାକ୍ତର, ସ୍ୱାସ୍ଥ୍ୟକର୍ମୀ, ପୁଲିସ ଓ ସଫେଇ କର୍ମଚାରୀ ଏହି ଯୁଦ୍ଧର ନେତୃତ୍ୱ ନେଇଛନ୍ତି। ସାମନାଙ୍କୁ ସମ୍ମାନ ଜଣାଇବା ଉଦ୍ଦେଶ୍ୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ନିଜ ଅଫିସିଆଲ ଟ୍ୱିଟର ଆକାଉଣ୍ଟରେ ‘ଗାଇବା ବନ୍ଦେ ବନ୍ଦେ, ଜିତିବା ସଙ୍ଗେ ସଙ୍ଗେ’ ଗୀତର ଏକ ଭିଡିଓକୁ ସେୟାର କରିଛନ୍ତି ।

ଉକ୍ତ ଭିଡିଓର କ୍ୟାପସନରେ ଉଲ୍ଲେଖ ରହିଛି ଯେ, ଲୋକଙ୍କ ଜୀବନ ସୁରକ୍ଷିତ କରିବାରେ ଆଗଧାଡ଼ିର କୋଭିଡ ଯୋଦ୍ଧାଙ୍କ ନିଷ୍ଠା ଓ ଉତ୍ସର୍ଗୀକୃତ ସେବାର ତୁଳନା ନାହିଁ । ସେମାନଙ୍କ ତ୍ୟାଗ ଅସୀମ । ଏହି ସୁନ୍ଦର ଗୀତକୁ ସେମାନଙ୍କ ପାଇଁ ଉତ୍ସର୍ଗ କରିବା ସହ ଅସୁସ୍ଥ ଯୋଦ୍ଧାଙ୍କ ଆଶୁ ଆରୋଗ୍ୟ କାମନା କରୁଛି । ଆହୁରି ମଧ୍ୟ ଲେଖାଅଛି ଯେ, ବର୍ତ୍ତମାନ ସମୟରେ ଆମ ଦାୟିତ୍ୱବୋଧତା ଏବଂ ଏକତା ସମଗ୍ର ବିଶ୍ୱକୁ ଦେଖାଇବାକୁ ପଡ଼ିବ । ଏ ଯୁଦ୍ଧକୁ ଜିତିବା ପାଇଁ ହେଲେ ପ୍ରତ୍ୟେକ ବ୍ୟକ୍ତିଙ୍କୁ ନିଜ ନିଜ ସ୍ତରରେ ସଚେତନ ଓ ଆତ୍ମ ଶୃଙ୍ଖଳା ବଜାୟ ରଖିବାକୁ ପଡ଼ିବ । ତାହା ହିଁ ଆମ କୋଭିଡ ଯୋଦ୍ଧାଙ୍କ ପ୍ରତି ପ୍ରକୃତ ସମ୍ମାନ।